ବିଜେପିରେ ଥାଇ ବିଜେଡି ଟିକେଟକୁ ଆଖେଇଥିଲେ ଲେଖାଶ୍ରୀ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବାକୁ କରିଥିଲେ ପ୍ରାଣମୂର୍ଚ୍ଛା ଉଦ୍ୟମ, ସସ୍ମିତ କହିଲେ ନିର୍ବାଚନ ସମୟର ଗୁମର କଥା । 

2,129

କନକ ବ୍ୟୁରୋ : ବିଜେପି ନେତ୍ରୀ ତଥା ଦଳର ତୁଣ୍ଡ କୁହାଯାଉଥିବା  ଲେଖାଶ୍ରୀଙ୍କୁ ନେଇ ଆସିଲା ବଡ ଖବର । ବିଜେପିରେ ଥାଇ ବିଜେଡି ଟିକେଟକୁ ଆଖେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ପଦ୍ମ ଛାଡି ଶଙ୍ଖ ଧରିବା ପାଇଁ ଥରେ ନୁହେଁ ବରଂ ଦୁଇ ଦୁଇ ଥର ପ୍ରୟାସ କରିଥିଲେ ଲେଖାଶ୍ରୀ । ଏପରିକି ୨୦୧୪ ଭଳି ୨୦୧୯ରେ ମଧ୍ୟ ବିଜେଡି ଟିକେଟକୁ ଲେଖାଶ୍ରୀ  ଆଖେଇଥିଲେ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ସସ୍ମିତଙ୍କ କହିବା ଅନୁଯାୟୀ, ୨୦୧୯ ନିର୍ବାଚନ ପୂର୍ବରୁ  ଲେଖାଶ୍ରୀ ବିଜେଡିରେ ସାମିଲ ହେବାକୁ ଜୋରଦାର ଉଦ୍ୟମ କରିଥିଲେ । ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ମିଶିବା ପରେ ଲେଖାଶ୍ରୀ ମଧ୍ୟ ସମାନ ରାସ୍ତା ଆପଣାଇବାକୁ ଇଚ୍ଛା କରିଥିଲେ । ଏବେ ବିଜେଡିର ସାଙ୍ଗଠନିକ ସମ୍ପାଦକ ଥିବା ହେଭିୱେଟ ନେତାଙ୍କୁ ଯୋଗାଯୋଗ କରିଥିଲେ ଲେଖାଶ୍ରୀ ।

ବିଜେପିରେ କୌଣସି ଭବିଷ୍ୟତ ନାହିଁ ଓ ଦଳରେ ସେ ଅଣଦେଖା ହେଉଥିବା କଥା କହିବାକୁ ମଧ୍ୟ ପଛାଇନଥିଲେ ଲେଖାଶ୍ରୀ । ବିଜେଡିରେ ମହିଳାଙ୍କୁ ସମ୍ମାନ ଦିଆଯାଉଛି ଏପରିକି ଯେଉଁମାନେ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କୁ ଉଚିତ ସମ୍ମାନ, ପଦ ଓ କାର୍ଯ୍ୟ ଦିଆଯାଉଛି । ତେଣୁ ଏହି ଆଶାରେ ବିଜେଡିରେ ଯୋଗ ଦେବାକୁ ଚେଷ୍ଟା ଚଳାଇଥିଲେ ଲେଖାଶ୍ରୀ । କିନ୍ତୁ ତାଙ୍କର ରାଜନୈତିକ ପୃଷ୍ଠଭୂମି ବାବଦରେ ସମସ୍ତ ତଥ୍ୟ ହାସଲ କରିବା ପରେ ବିଜେଡି ତାଙ୍କୁ ଦଳରେ ସାମିଲ ନକରିବାକୁ ନିଷ୍ପତି ନେଇଥିଲା । ଆଉ ବିଜେଡିରେ ନ ମିଶିପାରିବା କାରଣରୁ ଏବେ ଦଳ ବିରୋଧରେ ଲେଖାଶ୍ରୀ ବିଷ ଓଗାଳୁଛନ୍ତି ବୋଲି କହିଛନ୍ତି ସସ୍ମିତ । ମହିଳା ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ଲେଖାଶ୍ରୀ ଯେଉଁଭଳି ବିବୃତି ରଖି ବିଜେଡିକୁ ଟାର୍ଗେଟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ସସ୍ମିତ । ମହିଳାଙ୍କ କ୍ଷେତ୍ରରେ ବିଜେଡି ସବୁବେଳେ ସମ୍ବେଦନଶୀଳ ରହିଛି ଓ ଏହାକୁ ନେଇ ରାଜନୀତି କରିବାକୁ ଚାହୁଁନାହିଁ । ତେବେ ବିଜେପି ପାଖରେ ଯଦି କୌଣସି ପ୍ରମାଣ ରହିଛି ତାହେଲେ ସେମାନେ କୋର୍ଟ, ପୋଲିସ ଓ ସାଧାରଣ ଲୋକଙ୍କ ପାଖରେ ରଖନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ସସ୍ମିତ ।

ତେବେ ଏହାପୂର୍ବରୁ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ପୁଣିଥରେ ଶାସକଦଳକୁ ଘେରିଥିଲେ ଲେଖାଶ୍ରୀ । ଏପରିକି ସ୍ମିତାରାଣୀ ମୃତ୍ୟୁ ପଛରେ ବିଜେଡି ନେତାଙ୍କ ହାତ ରହିଛି ବୋଲି ସିଧାସଳଖ ଅଭିଯୋଗ ଆଣିଥିଲେ ଲେଖାଶ୍ରୀ । ତେଣୁ ଏହାର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଲେଖାଶ୍ରୀ ।

ଦୁଇ ଦୁଇ ଥର ଲେଖାଶ୍ରୀଙ୍କ ରାଜନୈତିକ କ୍ୟାରିୟରର ପୁରୁଣା ପୋଥି ଖୋଲିଛି ବିଜେଡି । ହେଲେ ହଠାତ, ଲେଖାଶ୍ରୀ ଉଠାଉଥିବା ପ୍ରସଙ୍ଗକୁ ଏତେ ଦୃଢତାର ସହ ବିଜେଡି ପ୍ରତ୍ୟାଖାନ କରିବାର ଯେଉଁ ଧାରା ଦେଖିବାକୁ ମିଳିଛି, ତାହା ପ୍ରଶ୍ନବାଚୀ ଉଠାଇଛି । ଆଉ ବଡ କଥା ହେଉଛି, ଯେଉଁ ଦୁଇଥର ଲେଖାଶ୍ରୀଙ୍କୁ ବିଜେଡି ଟାର୍ଗେଟ କରି ରାଜନୀତିର ଗହନ କଥାକୁ ସାମ୍ନାକୁ ଆଣିଛି, ସେତେବେଳେ ଲେଖାଶ୍ରୀ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ରାମକୋର ଅଧିକାରୀ, ଜିଲ୍ଲାର ବିଜେଡି ନେତା ଓ ସରକାରୀ ଅଧିକାରୀଙ୍କ ଭିତରେ ମଧୁଚନ୍ଦରିକାର ଅଭିଯୋଗ ଆଣି ସ୍ମିତାରାଣୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଥିଲେ । ବଡ କଥା ହେଉଛି, ଏହି ପ୍ରସଙ୍ଗକୁ ନେଇ ସରକାର ଅତୀତରେ ଅଡୁଆରେ ପଡିଥିଲେ । ସ୍ମିତାରାଣୀଙ୍କ ସହ ରଙ୍ଗଶାଳାରେ କଣ ଘଟିଥିଲା, ତାକୁ ନେଇ ରାଜନୀତି ଢେର ଦିନ ଚାଲିଲା । ଆଉ ସବୁକିଛି ଥମିଲା ପରେ ମଝିରେ ମଝିରେ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଅଡୁଆ ଭିତରକୁ ଟାଣି ଆଣୁଛନ୍ତି । ବୋଧହୁଏ ଏଥିପାଇଁ ଲେଖାଶ୍ରୀଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ଆକ୍ରମଣ କରି ତାଙ୍କ କଥାକୁ ଗୈାଣ ଦର୍ଶାଇବାକୁ ବିଜେଡି ଚାହୁଁଛି । ହେଲେ ବଡ ପ୍ରଶ୍ନ ହେଉଛି, ଲେଖାଶ୍ରୀ ବିଜେଡିରେ ସାମିଲ ହେବାକୁ ଯଦି ଚେଷ୍ଟା କରୁଥିଲେ, ତାହେଲେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟୟାର କଥା କଣ ସେ ଉଠାଇ ପାରିବେ ନାହିଁ?