ପିପିଲି ପ୍ୟାକେଜକୁ ନେଇ ଘନେଇଲା ରାଜନୀତି । ଲେଖାଶ୍ରୀ ସାମନ୍ତସିଂହାର କହିଲେ, ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ।

127

କନକ ବ୍ୟୁରୋ: ପିପିଲି ପାଇଁ ମୁଖ୍ୟମନ୍ତ୍ରୀ ସ୍ପେଶାଲ ପ୍ୟାକେଜ୍ ଘୋଷଣା କରିବା ପରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ୟାକେଜକୁ ଟାର୍ଗେଟ କରି ସରକାରକୁ ଘୋଷଣା ସର୍ବସ୍ୱ ସରକାର ବୋଲି କହିଛନ୍ତି । ଗତ ୨୨ ବର୍ଷ ହେଲା ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି । ହେଲେ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ପ୍ରତିଟି ଘୋଷଣା କେବଳ ଫଳକ ଭିତରେ ସୀମିତ ରହିଛି ବୋଲି ସେ କହିଛନ୍ତି ।

ଏଥିସହ ନିର୍ବାଚନ ଆସିଲେ ସରକାର ଏମିତି ସବୁ ଘୋଷଣା କରନ୍ତି । ତେଣୁ ଏହାକୁ ନେଇ ତାଙ୍କ ଦଳ ବ୍ୟସ୍ତ ନୁହେଁ ବୋଲି ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗବାସୀଙ୍କ ସହ ଆଲୋଚନା କରି ରାଜନୈତିକ ଉଷ୍ମତାକୁ ବଢାଇ ଦେଇଛନ୍ତି । ଏଥିସହ ସେମାନଙ୍କ ପାଇଁ ୭୦କୋଟିର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ନବୀନ । ପିପିଲି ଓ ଡ଼େଲାଙ୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଳସେଚନ, ରାସ୍ତାଘାଟ ଓ ସେତୁ ଆଦିର କାମ ହେବ । ପିପିଲି ଓ ଡ଼େଲାଙ୍ଗର ବିକାଶକୁ ଏହା ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳା ଓ ଗାଁର ବିକାଶ ଉପରେ ଫୋକସ ରହିଛି ଏବଂ ଗରିବଙ୍କ ମୁହଁରେ ହସ ମୋତେ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ବେଳେ ମିଶନ ଶକ୍ତିର ମାଆ ମାନେ ଭଲ କାମ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାକୁ ନଡ଼ରି ଚାଷୀ ଭାଇ ମାନେ କାମ କରିଛନ୍ତି । ସେହିପରି କରୋନା ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି ।