ବିଜେପି ଛାଡ଼ି ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା ।

523

କନକ ବ୍ୟୁରୋ: ବିଜେପି ଛାଡ଼ି ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଲେଖାଶ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ପରିବର୍ତନ ହିଁ ସ୍ଥାୟୀ ଏବଂ ପରିବର୍ତ୍ତନର ସମ୍ମୁଖିନ ହୋଇ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି ଲେଖାଶ୍ରୀ । ସେହିପରି ଓଡ଼ିଶା ବାସୀଙ୍କ ସେବା କରିବା ପାଇଁ ଇଚ୍ଛା ଥିଲା ଯାହା ବିଜେପିରେ ପୂରଣ ହୋଇପାରିଲାନାହିଁ । ପରିଶ୍ରମ ପରେ ବି ନେତୃତ୍ୱର ଆସ୍ଥାଭାଜନ ହୋଇପାରିଲେ ନାହିଁ । ଏବଂ ସେହି ଦଳରେ ତାଙ୍କ କାମ ସରିଯାଇଛି, ଆଗକୁ ବଢ଼ିବା ପାଇଁ ଏବଂ ଓଡ଼ିଶାବାସୀଙ୍କ ବିକାଶ ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ନିଜ ଇସ୍ତଫା ପତ୍ରରେ ଲେଖାଶ୍ରୀ ଲେଖିଥିଲେ ଯେ, ସେ ୧୦ବର୍ଷ ଧରି ଦଳ ପାଇଁ କାମ କରିଥିଲେ ବି ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନାହାନ୍ତି । ଶଙ୍ଖ ଭବନରେ ଦଳରେ ସାମିଲ ହେବା ପରେ ନବୀନ ନିବାସ ଯାଇଛନ୍ତି ଲେଖାଶ୍ରୀ ।

ସେହିପରି କଂଗ୍ରେସ ଛାଡ଼ିଥିବା ଗଣେଶ୍ୱର ବେହେରା, ବିଜେଡିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ପହଂଚି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । କ୍ଷମତାକୁ ଆସିବାକୁ ହେଲେ ଦଳ ବଦଳ କରିବାକୁ ହୁଏ ବୋଲି ଇସ୍ତଫା ଦେବା ପରେ କହିଥିଲେ ଗଣେଶ୍ୱର ବେହେରା ।

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ରହିଥିଲେ ଗଣେଶ୍ୱର । ୧୯୮୫ ଓ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରୁ ୨୦୦୦ ମସିହା ଯାଏ ସେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୦ ଓ ୨୦୦୪ରେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ଗଣେଶ୍ୱର । ସେହିପରି ୨୦୦୯, ୨୦୧୪, ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ ।