ଯୁଦ୍ଧ ଯାହାଜ ‘ଆଇଏନଏସ୍’ରେ ସମୁଦ୍ର ବୁଲିବେ ୧୪୫ ବିଧାୟକ । ନୌସେନା ପକ୍ଷରୁ ଚାଲିଛି ଆୟୋଜନ, ଆସନ୍ତା ମଙ୍ଗଳବାର ପାରାଦୀପ ବନ୍ଦର ଠାରେ ଏକାଠି ହେବେ ସମସ୍ତେ

241

 ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ଆସିବେ ରାଜ୍ୟର ୧୪୫ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମଙ୍ଗଳବାର ୨୨ ତାରିଖରେ ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା । ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି । ସୋମବାର ସବୁ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

ଆଇଏନ୍‌ଏସ୍‌ ଜଳସ୍ବା ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ । ପୂର୍ବରୁ ଏହାର ନାଁ ୟୁଏସ୍‌ଏସ୍‌ ଟ୍ରେ˚ଟନ ଥିଲା । ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ଆଇଏନ୍‌ଏସ୍‌ ଜଳସ୍ବା କରାଯାଇଛି । ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି । ଏହା ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରିପାରେ । ଏହି ଜାହାଜ ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କୁ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ସହ ୧୬ ହଜାର ୬୦୦ ଟନ୍‌ ପର୍ଯ୍ୟନ୍ତ ଜିନିଷ ପରିବହନ କରିପାରିବା ଭଳି କ୍ଷମତା ରଖିଛି ।