ଆଶାୟୀ କରିବେ କ’ଣ? ଅପେକ୍ଷା କରିବେ ନା ବିକଳ୍ପ ଚିନ୍ତା କରିବେ? ସରିଲା ସଂସଦର ଶେଷ କାର୍ଯ୍ୟଦିବସ, କୋଲ୍ଡ ଷ୍ଟୋରେଜରେ ପୁଣି ପଡି ରହିଲା ବିଧାନ ପରିଷଦ! 

Advertisment
ଆଶାୟୀ କରିବେ କ’ଣ? ଅପେକ୍ଷା କରିବେ ନା ବିକଳ୍ପ ଚିନ୍ତା କରିବେ? ସରିଲା ସଂସଦର ଶେଷ କାର୍ଯ୍ୟଦିବସ, କୋଲ୍ଡ ଷ୍ଟୋରେଜରେ ପୁଣି ପଡି ରହିଲା ବିଧାନ ପରିଷଦ! 

କନକ ବ୍ୟୁରୋ : ମଉଳିଲା ବିଧାନ ପରିଷଦ ସ୍ୱପ୍ନ । ସଂସଦର କାର୍ଯ୍ୟଦିବସ ସରିବା ସହ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ ହେବା ସ୍ୱପ୍ନରେ ରହିଯାଇଛି । କାରଣ ଏହା ମୋଦି ସରକାରଙ୍କ ଶେଷ ଅଧିବେଶନ । ଆଉ ଏହି ଅଧିବେଶନ ପରେ ପରେ ଦେଶରେ ହେବ ସାଧାରଣ ନିର୍ବାଚନ । ରାଜ୍ୟ ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ  ବେଶ ସହଜରେ ସଂକଳ୍ପ ପ୍ରସ୍ତାବ ପାରିତ ହେବା ପରେ ଖୁବଶୀଘ୍ର ଏହାର ଗଠନ ହେବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପୁଣିଥରେ କୋଲ୍ଡ ଷ୍ଟୋରେଜ ମଧ୍ୟକୁ ଠେଲି ହୋଇ ଯିବାକୁ ବସିଛି ବିଧାନ ପରିଷଦ ।

ସାଧାରଣତଃ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଓ ପ୍ରଣାଳୀ ସମୟ ସାପେକ୍ଷ ।  ରାଜ୍ୟ ବିଧାନସଭାରେ ଏହା ପାରିତ ହୋଇଥିଲେ ମଧ୍ୟ ପାର୍ଲାମେଣ୍ଟରେ ପହଞ୍ଚିପାରିନି ଏହି ବିଲ୍ । ତେଣୁ ରାଜ୍ୟରେ ବିଧାନ ପରିଷଦ ଗଠନ ଚର୍ଚ୍ଚାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । କାରଣ ସଂସଦରେ ରାଜ୍ୟ ସରକାରଙ୍କ ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପିତ ହେବା ପରେ ବାଚସ୍ପତି ଏକ ସିଲେକ୍ଟ କମିଟି ଗଠନ କରି ଏହା ଉପରେ ଅଧିକ ତର୍ଜମା ପାଇଁ ପଠାଇ ଦେଇଥାନ୍ତି । ସିଲେକ୍ଟ କମିଟିର ରିପୋର୍ଟ ଆସିବା ପରେ ଏହା ସଂସଦରେ ପାରିତ ହେବା ଆବଶ୍ୟକ । ସଂସଦରେ ବିଧେୟକ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିଥାଏ ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିବା ଏକରକମ ବନ୍ଦ ହୋଇଛି । କେବଳ ଓଡିଶା ନୁହେଁ ଆସାମ ସମେତ ୪ଟି ରାଜ୍ୟରେ ଗଠନ ହେବାକୁ ଥିବା ବିଧାନ ପରିଷଦର ଭାଗ୍ୟ ଏବେ ମଧ୍ୟ ସଂସଦରେ ଝୁଲି ରହିଛି । ତେଣୁ ଏଭଳି ଅନେକ କାରଣ ପାଇଁ ରାଜ୍ୟରେ ବିଧାନ ପରିଷଦ ଗଠନର ଆଶା ମରି ମରି ଯାଉଛି । ଯାହା ବିଧାନ ପରିଷଦ ମୁଆଁ ଖାଇବାକୁ ମନେ ମନେ ସ୍ଥିର କରି ନେଇଥିବା କିଛି ନେତାଙ୍କ ପାଇଁ ନିର୍ବାଚନ ପୂର୍ବରୁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି ।

publive-imageବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ୨୦୧୫ରେ ଏହାର ପୁନାଦି ଖୋଳିଥିଲେ । ଏପରିକି ବିଧାନ ପରିଷଦ ଗଠନ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଏହାପରେ ସତେ ଯେମିତି ଶୀତଳଭଣ୍ଡାରକୁ ଚାଲି ଯାଇଥିଲା ବିଧାନ ପରିଷଦ ଗଠନ ପ୍ରକିୟା । ଆଉ ଯେତେବେଳେ ୨୦୧୯ ନିର୍ବାଚନ ପାଖେଇ ଆସିଛି ଠିକ୍ ଏହାର ପୂର୍ବରୁ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ତରବରିଆ ଭାବେ ବିଧାନସଭାରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ପ୍ରସ୍ତାବ ପାରିତ କରିଥିଲେ ରାଜ୍ୟ ସରକାର । ଯାହାକୁ ନେଇ ବିରୋଧୀ ଦଳ ବଡ ଅଭିଯୋଗ ଆଣିଥିଲେ ।

ଅସନ୍ତୁଷ୍ଟ ଏବଂ ନିର୍ବାଚନରେ ଅକୃତକାର୍ଯ୍ୟ ନେତାଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ଗଠନର ପରିକଳ୍ପନା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ଏହାପୂର୍ବରୁ ୨୦୧୫ରେ ଯେତେବେଳେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ସେତେବେଳେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ବିରୋଧୀ । କୁହାଯାଉଥିଲା, ନିର୍ବାଚନରେ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ନେତା ଓ ନିର୍ବାଚନରେ ପରାଜୟ ବରଣ କରିଥିବା କିଛି ବଡ ଚେହେରାଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ଗଠନ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

ଆଉ ଏସବୁ ଭିତରେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଧାନ ପରିଷଦର ଫର୍ମୁଲା ଏବେ ଫସର ଫାଟିବାକୁ ଯାଉଛି । ବିଧାନ ପରିଷଦ ଗଠନ ପାଇଁ ଅନେକ ଗୁଡିଏ ପର୍ଯ୍ୟାୟ ରହିଥିବା ବେଳେ ସଂସଦର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସ ସହ ବିଧାନ ପରିଷଦ ଅଧ୍ୟାୟରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିଧାନ ପରିଷଦ ସଦସ୍ୟ ହେବାକୁ ଆଶାୟୀ ଥିବା ନେତା ଚୁପ ବସିବେ ନା ରାଜନୈତିକ କ୍ୟାରିୟରକୁ ଆଗକୁ ନେବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe