କନକ ବ୍ୟୁରୋ : ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କୁ ଅନ୍ତିମ ବିଦାୟ ଦେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାରା ଦେଶବାସୀ, ସେମାନଙ୍କ ପ୍ରିୟ ଲତା ଦିଦିଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଆଜି ସକାଳେ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୯୨ବର୍ଷ ବୟସରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ସକାଳ ୮ଟା ୧୨ ମିନିଟରେ ଲତା ମଙ୍ଗେସକରଙ୍କ ପରଲୋକ ଖବର ଶୁଣି ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ଭାରତର କୋକିଳ କଣ୍ଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ସାରା ଦେଶ । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ପେଡର ରୋଡ ସ୍ଥିତ ତାଙ୍କ ବାସଭବନରେ ଶେଷଦର୍ଶନ ପରେ ବାହାରିଥିଲା ଶୋଭାଯାତ୍ରା । ହଜାର ହଜାର ପ୍ରଶଂସକ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

Advertisment

ଭାରତର କୋକିଳ କଣ୍ଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ସାରା ଦେଶ । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଜି ସକାଳ ୮ଟା ୧୨ମିନିଟରେ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଛି । ତାଙ୍କ ସମ୍ମାନରେ ଦୁଇ ଦିନ ଧରି ଜାତୀୟ ପତାକାକୁ ଅଦ୍ଧନମିତ କରି ରଖାଯିବ ।

ସୁର ସାମ୍ରାଜ୍ଞୀଙ୍କ ଶେଷ ଯାତ୍ରା । ଜଣେ ମହାନ ଆତ୍ମାଙ୍କ ମହାଯାତ୍ରା । ଏହି ଯାତ୍ରା ସହ ଶେଷ ହୋଇଛି ସଙ୍ଗୀତ ଜଗତର ସ୍ୱର୍ଣ୍ଣିମ ଯୁଗ । କୋଟି କୋଟି ଭାରତୀୟଙ୍କ ମନପ୍ରାଣକୁ ସଙ୍ଗୀତମୟ କରିଥିବା ମେଲୋଡି କୁଇନ୍ ଲତା ଦିଦିଙ୍କୁ ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି ଦେଶବାସୀ । ସବୁଠି ଶୂନ୍ୟତା ଛାଇଯାଇଛି । ସତେ ଯେମିତି ଥମିଯାଇଛି ଜୀବନର ସବୁ ସଙ୍ଗୀତ, ହଜିଯାଇଛି ଖୁସି, ମଣିଷ ହରାଇଛି ତା’ର ସବୁଠୁ ପ୍ରିୟ ବ୍ୟକ୍ତିକୁ । ମୁମ୍ବାଇ ପେଡ୍ଡର ରୋଡର ପ୍ରଭୁକୁଞ୍ଜରୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ଶୋକାକୂଳ ଜନତାଙ୍କ ମୁହଁରେ ଥିଲା ଅମର ରହେ ଲତା ତାଇ । ତାଙ୍କ ନିକଟରେ ବୟସ ବି ଥମିଯାଇଥିଲା । ତାଙ୍କ ସ୍ୱରରେ ଏପରି ଯାଦୁ ଥିଲା, ସେ ପିଲା ହେଉ କି ବୃଦ୍ଧ, ସାଧାରଣ ଲୋକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ପାଇଁ ସେ ଥିଲେ ବଡ଼ ଭଉଣୀ, ସମସ୍ତଙ୍କ ପ୍ରିୟ ଲତା ତାଇ । ତାଙ୍କର ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ଭାରତରେ ନୁହେଁ ଲତାଙ୍କ ବିୟୋଗରେ ପଡ଼ୋଶୀ ଦେଶରେ ବି ଶୋକର ଛାୟା ଖେଳିଯାଇଛି । ସଂଗୀତର କୌଣସି ଭୌଗଳିକ ସୀମାରେଖା ନାହିଁ, ସଂଗୀତକୁ ନିର୍ଦ୍ଦିଷ୍ଟ ଭାଷାରେ ଆବଦ୍ଧ କରିହେବନି, ତାହା ପୁଣିଥରେ ପ୍ରମାଣ ହୋଇଯାଇଛି । ନେପାଳ, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଜର୍ମାନୀ, ଆମେରିକା, ଫ୍ରାନ୍ସ ଭଳି ଅନେକ ଦେଶରୁ ଆସିଛି ଶୋକବାର୍ତା । ସମସ୍ତେ ଝୁରି ହେଉଛନ୍ତି ମେଲୋଡି କୁଇନଙ୍କୁ, ହୃଦୟକୁ ଛୁଇଁ ଯାଉଥିବା ତାଙ୍କ କଣ୍ଠସ୍ୱରକୁ ।

ରବିବାର ସକାଳ ଥିଲା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଦୁଃଖଦ ଦିନ । ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସକାଳ ୮ ଟା ୧୨ ମିନିଟରେ ଲତା ମଙ୍ଗେସକରଙ୍କ ପରଲୋକ ଖବର ସମସ୍ତଙ୍କୁ ହତବାକ୍ କରି ଦେଇଥିଲା । ଜାନୁଆରୀ ୮ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ । ପ୍ରାୟ ଏକ ମାସ କାଳ ଜୀବନ ସଂଘର୍ଷ ଭିତରେ ଯେତେବେଳେ ସାମାନ୍ୟ ସୁସ୍ଥ ହେବାର ଖବର ଆସୁଥିଲା, ସେତେବେଳେ ଦେଶବାସୀଙ୍କ ମନରେ ଆଶାର ଦୀପଟିଏ ଜଳି ଉଠୁଥିଲା । ଆଇସିୟୁ-ଭେଣ୍ଟିଲେଟର ଭିତରେ ଜୀବନ-ମୃତ୍ୟୁର ଲୁଚକାଳି ଖେଳରେ ଶେଷରେ ଜିତି ଯାଇଥିଲା ମୃତ୍ୟୁ । ଯେଉ ସ୍ୱର କୋଟି କୋଟି ମଣିଷର ପ୍ରିୟ ସ୍ୱର ପାଲଟିଥିଲା, ତାହା ସବୁଦିନ ପାଇଁ ନୀରବି ଯାଇଥିଲା । ଚିରନିଦ୍ରାରେ ଶୋଇ ଯାଇଥିଲେ ଲତା ।

ଚିର ନିଦ୍ରାରେ ଶୋଇ ଯାଇଥିଲେ ଭାରତର ବୁଲବୁଲ, ହେଲେ ସାରା ଦେଶ ଆଖିରୁ ନିଦ ହଜିଯାଇଥିଲା । ହସପିଟାଲରୁ ତାଙ୍କ ବାସଭବନ ପ୍ରଭୁକୁଂଜ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଲାଗି ରହିଥିଲା । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଛୁଟିଥିଲେ ତାଙ୍କର ପ୍ରଶଂସକ । ଏପଟେ ଅଗଣିତ ଦେଶବାସୀଙ୍କ ଆଖି ଅଟକି ରହିଥିଲା ଟିଭି ପରଦା ଉପରେ । ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ଥିଲା, ଶେଷ ଥର ପାଇଁ ତାଙ୍କର ଗୋଟିଏ ଝଲକ ଦେଖିବା ।

ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ । ହେଲେ ଧରାପୃଷ୍ଠରେ ବେଳେବେଳେ ଏପରି ବ୍ୟକ୍ତି ଜନ୍ମ ହୁଅନ୍ତି, ଯିଏ ମୃତ୍ୟୁକୁ ଜୟ କରିଥାନ୍ତି । କେବଳ ପାର୍ôଥବ ଶରୀର ପଂଚଭୂତରେ ଲୀନ ହୋଇଯାଏ, କିନ୍ତୁ ସେ ଅମର ହୋଇଯାଆନ୍ତି । ତାଙ୍କର କୃତି ତାଙ୍କୁ କାଳଜୟୀ କରିଥାଏ । ଚିରକାଳ ସେ ଲୋକଙ୍କ ହୃଦୟରେ ରହିଯାନ୍ତି ।