କନକ ବ୍ୟୁରୋ : ଲତା ମଙ୍ଗେସକର...ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ଆଜି ସମସ୍ତଙ୍କୁ ଶୋକର ସ୍ରୋତରେ ଭସାଇ ନୀରବି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ ।

Advertisment

୯୨ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୮ଟା ୧୨ରେ ଦେହାନ୍ତ ନେଇ ସୂଚନା ମିଳିଛି । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ଜାନୁଆରୀ ୮ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହିତ ନିମୋନିଆରେ ଲତା ପୀଡିତ ଥିଲେ । ତେବେ ଅପରାହ୍ଣ ସାଢେ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।

ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦି ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦି ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

୧୯୫୮ ମସିହାରେ- ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ
୧୯୬୯ ମସିହାରେ- ପଦ୍ମ ଭୂଷଣ
୧୯୮୯ ମସିହାରେ- ଦାଦା ସାହେବ ଫାଲକେ ଆୱାର୍ଡ
୧୯୯୩ ମସିହାରେ- ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭ ମସିହାରେ- ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ ମସିହାରେ- ପଦ୍ମ ବିଭୂଷଣ
୨୦୦୧ ମସିହାରେ- ଭାରତ ରତ୍ନ
୨୦୦୯ ମସିହାରେ- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ଆମ ସମସ୍ତଙ୍କୁ ଜଣା ।