କଟକ ସମାଜସେବୀଙ୍କୁ କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା: ଟ୍ୱିଟ କରି ଲେଖିଲେ ଏମିତି କଥା

103

କନକ ବ୍ୟୁରୋ: ପେଶାରେ ଜଣେ ବହି ବନ୍ଧାଳି, ହେଲେ ତାଙ୍କ ନିଶା ଲୋକଙ୍କୁ ସହାୟତା କରିବା । ତାଙ୍କ କାମ ବିଷୟରେ ଆପଣ ଜାଣିଲେ ପ୍ରଶଂସା ନକରି ରହିପାରିବେନି । ସେଥିପାଇଁ ତ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ ତାଙ୍କ କାମ ବିଷୟରେ ଜାଣିବା ପରେ ଟ୍ୱିଟ କରି ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ହଁ ଆଜ୍ଞା ଆମେ କହୁଛୁ କଟକର ସେହି ଦରଦୀ ବନ୍ଧୁ ଅଭିମନ୍ୟୁ ଦାସଙ୍କ କଥା । ଯିଏ ଅଚିହ୍ନା ଶବ ଦେଖିଲେ ଆଗେଇ ଆସନ୍ତି ସତ୍କାର କରିବାକୁ, ଆଉ କ୍ୟାନ୍ସର ରୋଗୀଙ୍କୁ ସହାୟତା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ।

ଅଭିମନ୍ୟୁଙ୍କ ଏଭଳି ମହାନ କାମ ବିଷୟରେ ଜାଣିବା ପରେ ରହିପାରିଲେନି ଭିଭିଏସ ଲକ୍ଷ୍ମଣ । ଆଉ ଟ୍ୱିଟ କରି ତାଙ୍କୁ ପ୍ରଶଂସା କରିଥିଲେ । ଭିଭିଏସ ଲକ୍ଷ୍ମଣ ଟ୍ୱିଟ କରି ଲେଖିଛନ୍ତି, କଟକର ୫୦ ବର୍ଷିୟ ପୁସ୍ତକ ବନ୍ଧାଳି ଅଭିମନ୍ୟୁ ଦାସ । ଶବକୁ ସମ୍ମାନ ଜଣାଇ ଅଚିହ୍ନା ଲୋକଙ୍କ ଶବ ସତ୍କାର କରନ୍ତି । ଏହାସହ ହଜାର ହଜାର କ୍ୟାନ୍ସର ରୋଗୀଙ୍କ ଯତ୍ନ ନିଅନ୍ତି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଭୂମିହୀନ ଲୋକ । ଏଭଳି ନିସ୍ୱାର୍ଥପର ସେବା ପାଇଁ ଅଭିମନ୍ୟୁଙ୍କୁ ସାଲ୍ୟୁଟ ।

କେବଳ ଭିଭିଏସ ଲକ୍ଷ୍ମଣ ନୁହନ୍ତି ପୂର୍ବରୁ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଅଭିମନ୍ୟୁଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରିଥିଲେ । ତେବେ କଟକରେ ଅସହାୟ କ୍ୟାନ୍ସର ରୋଗୀ ଆଉ ଅଚିହ୍ନା ଶବଙ୍କ ଦେବଦୂତ ସାଜିଥିବା ଏହି ବ୍ୟକ୍ତି ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ମହତ କାମ ପାଇଁ ଅନ୍ତର୍ଜାତୀୟ କ୍ରିକେଟରମାନେ ତାଙ୍କ ପ୍ରଶଂସା କରୁଛନ୍ତି ।

କଟକ ନେତାଜୀ ନଗରର ଅଭିମନ୍ୟୁ ଦାସ । ବୟସ ୫୦ ବର୍ଷ । ଏପର୍ଯ୍ୟନ୍ତ ଅଭିମନ୍ୟୁ ୧୨ ଶହରୁ ଅଧିକ ଶବ ସତ୍କାର କରିସାରିଲେଣି । ଅଭିମନ୍ୟୁ କହିଲେ କଟକ ବଡ ଡାକ୍ତରଖାନା ହେଉ କି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ସଭିଏଁ ତାଙ୍କୁ ଜାଣନ୍ତି । ଯଦି କେହି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତେବେ ଖୋଜା ପଡନ୍ତି ଅଭିମନ୍ୟୁ । ଆଉ ଖବର ପାଇ ଅଭିମନ୍ୟୁ ବି ସଙ୍ଗେ ସଙ୍ଗେ ପହଞ୍ଚି ଯାଆନ୍ତି ।

ସେହିପରି ଅଚିହ୍ନା ଶବ ସତ୍କାର ପାଇଁ ସେ ସବୁ ବେଳେ ଆଗେଇ ଆସନ୍ତି । ଶବ ସତ୍କାର କେମିତି ହେବ? ଶବ କେମିତି ଶ୍ମସାନକୁ ନିଆଯିବ? ସବୁ କଥା ସେ ନିଜେ ବୁଝିଥାନ୍ତି । ନିଜ ପକେଟରୁ ହେଉ କିମ୍ବା କାହା ସହଯୋଗରେ ଟଙ୍କା ଯୋଗାଡ କରିଥାନ୍ତି । ଆଉ ଅସହାୟ ରୋଗୀଙ୍କୁ ସାହାଯ୍ୟ କରନ୍ତି । କେବଳ ସେତିକି ନୁହେଁ ପରିବାର ଛାଡି ପଳାଇ ଆସିଥିବା କ୍ୟାନ୍ସର ରୋଗୀଙ୍କୁ ରାସ୍ତାକଡରୁ କୋଳେଇ ନିଅନ୍ତି ଅଭିମନ୍ୟୁ ।

ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ନେଇଛନ୍ତି ଅଭିମନ୍ୟୁ । ବର୍ଷ ବର୍ଷ ଧରି ତାଙ୍କର ଏଭଳି ସମର୍ପିତ ସେବା ନିହାତି ଭାବେ ପ୍ରଶଂସା ଯୋଗ୍ୟ ।