ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ ଦିଲ୍ଲୀପ କୁମାର

284

କନକ ବ୍ୟୁରୋ : ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବୟସରେ ଆଖି ବୁଜିଲେ ଦିଲ୍ଲୀପ କୁମାର ।  ସେ ଆଜି ସକାଳ ୭.୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଜୁନ୍ ୨୯ରେ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ହିନ୍ଦୀ ସିନେମାର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ।

ଦିଲୀପ କୁମାରଙ୍କ ମୂଳ ନାମ ହେଉଛି ମହମ୍ମଦ ୟୁସୁଫ୍‌ ଖାନ୍। ୧୧ ଡିସେମ୍ବର ୧୯୨୨ରେ ପାକିସ୍ତାନର ପେଶାୱାରରେ ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ। ଆୟେଶା ବେଗମ୍ ଓ ଲାଲା ଗୁଲାମ ଖାନ୍‌ଙ୍କର ୧୨ଟି ସନ୍ତାନ ମଧ୍ୟରୁ ସେ ଥିଲେ ଅନ୍ୟତମ। ବାପାଙ୍କର ଫଳ ବ୍ୟବସାୟ ଥିଲା । ତେବେ ୧୯୪୦ ମସିହା ଆଡ଼କୁ ବାପାଙ୍କ ସହ କୌଣସି କାରଣରୁ ବିବାଦ ହେବାରୁ ୟୁସୁଫ୍‌ ଓରଫ୍‌ ଦିଲ୍ଲୀପ କୁମାର ଘର ଛାଡ଼ି ମହାରାଷ୍ଟ୍ରର ପୁନେ ଚାଲି ଯାଇଥିଲେ । ଇଂରାଜୀ କହି ଓ ଲେଖି ପାରୁଥିବାରୁ ସେ ପୁନେରେ ଗୋଟେ କ୍ୟାଣ୍ଟିନ୍‌ରେ କାମ ପାଇଗଲେ। ଆର୍ମି କ୍ଲବ୍ ପାଖରେ ସେ ଗୋଟେ ସାଣ୍ଡ୍‌ୱିଚ୍ ଷ୍ଟଲ୍ ଖୋଲିଥିଲେ। ୧୯୪୩ରେ ବମ୍ବେ ଟକିଜ୍‌ର ମାଲିକ ହିମାଂଶୁ ରାଏଙ୍କ ପତ୍ନୀ ତଥା ଅଭିନେତ୍ରୀ ଦେବିକାରାଣୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ।

ବମ୍ବେ ଟକିଜ୍‌ରେ ମାସକୁ ୧୨୫୦ ଟଙ୍କା ଦରମାରେ ସେ କାମ କରିବାକୁ ଚୁକ୍ତି କରିଥିଲେ। ପରେ ବିଶିଷ୍ଟ ଅଭିନେତା ଅଶୋକ କୁମାର ଓ ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହିତ ତାଙ୍କର ସମ୍ପର୍କ ବଢ଼ିଥିଲା । ୧୯୪୪ରେ ‘ଜ୍ବାର ଭାଟା’ ସିନେମାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଲା। ତେବେ ଦେବିକାରାଣୀ ଦିଲ୍ଲୀପ କୁମାରଙ୍କୁ ଅନୁରୋଧ କରିଥିଲେ, ‘ତୁମ ନାଁ ୟୁନୁସ୍ ବଦଳରେ ଦିଲ୍ଲୀପ କୁମାର ରଖାଗଲେ ଭଲ ହୁଅନ୍ତା’। ତା’ପରେ ସେ ଦିଲ୍ଲୀପ କୁମାରରେ ନାମରେ ପରିଚିତ ହୋଇଥିଲେ ଓ ଭାରତୀୟ ସିନେମାର ଅନ୍ୟତମ ମାଇଲ୍‌ଖୁଣ୍ଟ ପାଲଟି ଯାଇଥିଲେ ।

ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲ୍ଲୀପ କୁମାରଙ୍କ କିଛି ଚଳଚ୍ଚିତ୍ର ହେଉଛି ଅନ୍ଦାଜ (୧୯୪୯), ଆନ୍ (୧୯୫୨), ଦାଗ୍ (୧୯୫୨), ଦେବଦାସ (୧୯୫୫), ଆଜାଦ (୧୯୫୫), ମୋଗଲ-ଏ-ଆଜମ (୧୯୬୦), ଗଙ୍ଗା ଯମୁନା (୧୯୬୧), ରାମ ଅର ଶ୍ୟାମ ( ୧୯୬୭) ପରି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି । ୧୯୭୬ ମସିହାରେ ଦିଲ୍ଲୀପ କୁମାର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା ​​।