ବିଶିଷ୍ଟ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ : ବଲିଉଡ୍ ସହ ଦେଶବ୍ୟାପୀ ଶୋକର ଛାୟା

142

କନକ ବ୍ୟୁରୋ : ଆରପାରିରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ୯୮ ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷୀୟାନ ଅଭିନେତା । ଆଜି ସକାଳ ସାଢେ ୭ଟାରେ ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପତ୍ନୀ ସାଇରା ବାନୁ । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ ତାରିଖରେ ଦିଲ୍ଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ଦେଇଥିଲେ ପତ୍ନୀ ସାଇରା ବାନୁ । ହେଲେ ଏହାର ଦୁଇଦିନ ପରେ ବଲିଉଡକୁ ଅଲବିଦା କହିଛନ୍ତି ଦିଲ୍ଲୀପ କୁମାର ।

ତାଙ୍କ ଦେହାନ୍ତ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଶୋକ ପ୍ରକାଶ କରିବା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀପଙ୍କ ଦେହାନ୍ତ ସାଂସ୍କୃତିକ ଜଗତ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ମୋଦୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶବାସୀଙ୍କ ହୃଦୟରେ ବଂଚି ରହିବେ ଦିଲ୍ଲୀପ କୁମାର ।

ପାକିସ୍ତାନ ପେଶାୱାରରେ ଜନ୍ମିତ ମହମ୍ମଦ ୟୁସୁଫ ଖାନ, ହିନ୍ଦି ଫିଲ୍ମ ଜଗତକୁ ଆସିବା ପରେ ବନିଗଲେ ଦିଲ୍ଲୀପ କୁମାର । ମୁଗଲେ ଆଜମରେ ଭାବପ୍ରବଣ ପ୍ରେମିକ ସଲିମଠାରୁ ଆରମ୍ଭ କରି କରମାରେ ଜେଲ ଦାୟିତ୍ୱରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଯାଏ ସବୁ ଚରିତ୍ରରେ ସେ ନିଜସ୍ୱ କଳା ଓ ଅଭିନୟର ଯାଦୁ ଦେଖାଇଛନ୍ତି । ୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର । ୧୯୪୭ରେ ଥିଲା ମୁକ୍ତିଲାଭ କରଇଥିଲା ଜୁଗନୁ ଥିଲା ତାଙ୍କର ପ୍ରଥମ ସଫଳ ଚଳଚ୍ଚିତ୍ର ।

୧୯୪୪ରୁ ୧୯୯୮ ପ୍ରାୟ ୫ ଦଶନ୍ଧିରେ ୬୦ଟି ଫିଲ୍ମ କରିଛନ୍ତି ଦିଲ୍ଲୀପ କୁମାର । ହେଲେ ୭ ଥର ଫିଲ୍ମ ଫେୟାର ପୁରସ୍କାର ଓ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି । କ୍ୟାରିୟରରେ ଏକାଧିକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଦିଲ୍ଲୀପ କୁମାର । କାରଣର କମ୍ ଫିଲ୍ମ କରିବା ସହ ପ୍ରଭାବୀ ଅଭିନୟ କରିବାକୁ ଅଧିକ ପସନ୍ଦ କରୁଥିଲେ ଟ୍ରାଜେଡି କିଙ୍ଗ ।