ଜେଏନୟୁରେ ପୁଣି ଉଡିଲା ଲାଲ ପତାକା ! ଛାତ୍ର ସଂସଦ ନିର୍ବାଚନରେ ମାତ୍ ଖାଇଲା ଏବିଭିପି, ସମସ୍ତ ପଦରେ ବିଜୟୀ ହେଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ

42

ଦେଶର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣିଥରେ ବାଜି ମାରିଛି ବାଦ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଛାତ୍ର ସଂସଦର ସମସ୍ତ ପଦବୀରେ ଦବଦବା ଜାହିର କରିଛି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । ସଭାପତି, ଉପସଭାପତି, ସଂପାଦକ, ସହ-ସଂପାଦକ ପଦରେ ବାଦ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇ ଛାତ୍ର ସଂସଦ ନିର୍ବାଚନରେ କ୍ଲିନ ସୁଇପ କରିଛନ୍ତି । ତେବେ ଏବିଭିପି ପ୍ରାର୍ଥୀ ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ପୁଣିଥରେ ନିଜ ଗଡ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ ।

ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ ପକ୍ଷରୁ ସଭାପତି ପ୍ରାର୍ଥୀ ହୋଇଥିବା ଏନ୍ ସାଇ ବାଲାଜୀ ଏବିଭିପିର ପ୍ରାର୍ଥୀ ଲଲିତ ପାଣ୍ଡେଙ୍କୁ ୧୧୭୯ ଖଣ୍ଡ ଭୋଟରେ ମାତ ଦେଇ ଛାତ୍ର ସଂସଦର ନୂଆ ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେହିଭଳି ଉପାଧ୍ୟକ୍ଷ ଭାବେ ସାରିକା ଚୌଧୁରୀ, ସଂପାଦକ ଭାବେ ଏଜାଜ ଅହମ୍ମଦ ରାଥେର ଓ ଏ ଜୟଦୀପ ସହ-ସଂପାଦକ ଭାବେ ବିଜୟୀ ହୋଇଛନ୍ତି । ଗତ ଶୁକ୍ରବାର ଦିନ ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । କିନ୍ତୁ ଭୋଟ ଗଣତିକୁ ନେଇ ଉଭୟ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ ଓ ଏବିଭିପି ମଧ୍ୟରେ ବିବାଦ ଉପୁଜିଥିଲା ।

ଛାତ୍ର ସଙ୍ଗଠନ ଗୁଡିକ ମଧ୍ୟରେ ବିବାଦ ଯୋଗୁଁ ଅନେକ ଥର ଭୋଟ ଗଣତି ବନ୍ଦ ରହିଥିଲା । ଗଣତି ଚାଲିଥିବା କକ୍ଷରେ ଗତକାଲି କିଛି ଛାତ୍ର ବଳପୂର୍ବକ ପଶି ଭୋଟ୍ ବକ୍ସ ତଥା ବ୍ୟାଲଟ ପେପର ଛଡ଼ାଇ ନେବାକୁ ଉଦ୍ୟମ କରିବା ପରେ ଭୋଟଗଣତି ଅଟକି ଥିଲା।ତେବେ ୧୪ ଘଣ୍ଟା ପରେ ଗଣତି ଆରମ୍ଭ ହୋଇଥିଲା। ବାମ ଦଳ ସମର୍ଥିତ ଛାତ୍ର ସଂଗଠନ ସହିତ ନିର୍ବାଚନ ଅଧିକାରୀମାନେ ହାତ ମିଳାଇଥିବାରୁ ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିବାକୁ ଏବିଭିପି ଧମକ ଦେଇଛି। ଅନ୍ୟପକ୍ଷରେ ବାମ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ କହିଛନ୍ତି ଯେ ଏବିଭିପି କାର‌୍ୟ୍ୟକର୍ତ୍ତାମାନେ କ୍ୟାମ୍ପସରେ ହିଂସା ସୃଷ୍ଟି କରୁଛନ୍ତି। ତେବେ ଭୋଟ ଗଣତି ସମୟରେ ଉଭୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଭୋଟ ଗଣତି ପରେ ଫଳାଫଳ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ ସପକ୍ଷରେ ଯାଇଥିଲା ।