ଅଧ୍ୟାପକଙ୍କ ସର୍ତ୍ତ । ଦରମା ବଢାଅ, ଦାବି ପୂରଣ କର, ତା’ପରେ କରିବୁ ୭ ଘଣ୍ଟିଆ ଡ୍ୟୁଟି ।

385

କନକ ବ୍ୟୁରୋ : ୭ ଘଣ୍ଟା ଡ୍ୟୁଟି କରିବାକୁ ରାଜି ହେଉନାହାନ୍ତି ଅଧ୍ୟାପକ । ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ସଂଘ କହିଛି, ପ୍ରଥମେ ସେମାନଙ୍କ ଦାବି ପୂରଣ କରାଯାଉ । ସମାନ କାମକୁ ସମାନ ଦରମା ଦିଆଯାଉ । ତା’ପରେ ନିୟମ କରାଯାଉ । ଅଧ୍ୟାପକଙ୍କ ଏଭଳି ଆଭିମୁଖ୍ୟ ପରେ ସରକାର ଓ ଅଧ୍ୟାପକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

ଚଳିତ ବର୍ଷ ରେଜଲ୍ଟ ଖରାପ ହେବା ପରେ ନିଦ ଭାଙ୍ଗିଥିଲା ଶିକ୍ଷା ବିଭାଗର । ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଅଂଟା ଭିଡିଥିଲେ ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକମାନେ ୭ ଘଂଟା ଡ୍ୟୁଟି କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅଧ୍ୟାପକମାନେ ବାଓମେଟ୍ରିକ୍ ଉପସ୍ଥାନ ଦେବେ, ପ୍ରତି କାର୍ଯ୍ୟ ଦିବସରେ କଲେଜରେ ୭ ଘଂଟା କାର୍ଯ୍ୟ କରିବେ, ଶିକ୍ଷାଦାନ ପରେ ସେମାନେ ଲାଇବ୍ରେରୀରେ ସମୟ କାଟିବେ, ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ ଏବଂ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କ୍ଲାସ କରିବେ ।

ତେବେ ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ଅଧ୍ୟାପକ ସଂଘ । ଅଧ୍ୟାପକ ସଂଘ ସିଧା ସିଧା କହିଛନ୍ତି, ସରକାର ଆଗ ଆମ ଦାବି ପୂରଣ କରନ୍ତୁ, ସମାନ କାମକୁ ସମାନ ଦରମା ଦିଅନ୍ତୁ, କଲେଜଗୁଡିକର ଭିତିଭୂମି ସଜାଡନ୍ତୁ । ଏହା ପରେ ନିୟମ କଲେ ଆମେ ପାଳନ କରିବୁ । ୭ ଘଂଟା ଡ୍ୟୁଟିକୁ ନେଇ ଅଧ୍ୟାପକ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ସରକାରଙ୍କ ନିର୍ଦ୍ଦେଶନାମା ଉପରେ ସରକାରୀ କଲେଜଗୁଡିକର ଅଧ୍ୟାପକମାନେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । କିନ୍ତୁ ସବୁଠୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ ସଂଘଗୁଡିକ ଏହି ନିୟମ ବିରୋଧରେ ପ୍ରତିବାଦ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, କେତେ ଠିକ୍ ଅଧ୍ୟାପକଙ୍କ ଯୁକ୍ତି?
୭ ଘଂଟା କାମ କରିବାକୁ ଅଧ୍ୟାପକମାନେ ମନା କରିବା କେତେ ଯୁକ୍ତିଯୁକ୍ତ?
ଅଧ୍ୟାପକଙ୍କ ଏଭଳି ଜିଦ୍ ପାଠ ପଢ଼ାଇବା ଉପରେ ପ୍ରଭାବ ପକାଇବ ନାହିଁ କି?