ଅପହରଣ ପରେ ହତ୍ୟା ! ୧୭ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ମୃତଦେହ

39

କନକ ବ୍ୟୁରୋ : ବାରିପଦାରେ ଚାଂଚଲ୍ୟ । ବାରିପଦା ୧୮ ନମ୍ବର ୱାର୍ଡ ଯମୁନାଦେଇପୁରରୁ ନିଖୋଜ ଥିବା ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ମହାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୧୭ ଦିନ ପରେ ବେତନଟୀ ଆମ୍ବତୋଟା ଜଙ୍ଗଲରୁ ମାଟିତଳୁ ସୁଧୀରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସୁଧୀରଙ୍କୁ ହତ୍ୟା କରାଯିବା ପରେ ମାଟିତଳେ ପୋତିଦିଆଯାଇଥିବା ସନ୍ଦେହ କରାଯାଉଛିା ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି ।

ଗତ ୨୫ ତାରିଖରୁ ସୁଧୀର ମହାନ୍ତ ନିଖୋଜ ଥିଲେ । ଜମିଜମାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସୁଧୀର ୯୦ ଲକ୍ଷ ଟଙ୍କାର ଜମି ବିକ୍ରୀ କରିବାର ଥିଲା । ତେଣୁ ସନ୍ଦେହ କରାଯାଉଛି ଟଙ୍କା ଲୋଭରେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇ ମାଟିତଳେ ପୋତିଦିଆଯାଇଛି । ଏଥିରେ ୬ଜଣ ସଂପୃକ୍ତ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟା ଘଟଣା ପଛରେ କିଛି ବଡ ଲୋକଙ୍କ ହାତ ବି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଖବର ଅନୁସାରେ, କିଛି ଦିନ ତଳେ ଏକ କାର ଦ୍ରୁତ ଗତିରେ ବେତନଟୀ ବଜାରରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖଥିଲେ । ଏହି କାରରେ ଆସିଥିବା ଲୋକେ ବଜାରରୁ ୩୦ରୁ ୪୦ ପ୍ୟାକେଟ ଲୁଣ କିଣିଥିଲେ । ସୁଧୀରଙ୍କୁ ବେତନଟୀ ଜଙ୍ଗଲ ଶଶ୍ମାନ ନିକଟରେ ମାଟିତଳେ ପୋତିବା ପାଇଁ ଏହି ଲୁଣ କିଣାଯାଇଥିବା ଅନୁମାନ କରାଯାଉଛି । ତେବେ ପୋଳିସ ଏହି ଘଟଣାର ତଦନ୍ତ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।