କନକ ବ୍ୟୁରୋ: ଶ୍ରୀଲଙ୍କା ପରେ ଲେବାନନ୍ । ଦେବାଳିଆ ହେଲା ଆଉ ଏକ ଦେଶ । ମଧ୍ୟପୂର୍ବ ଦେଶ ଲେବାନନକୁ ଦେବାଳିଆ ଘୋଷଣା କରିଛନ୍ତି ଉପପ୍ରଧାନମନ୍ତ୍ରୀ ଅଲ ଶମି । ଦେଶ ସହ କେନ୍ଦ୍ରୀୟ ବ୍ୟାଙ୍କ ଦେବବାଳିଆ ହୋଇ ଯାଇଥିବା ସେ କହିଛନ୍ତି । ଲେବାନନ୍ ଲୀରା ମୂଲ୍ୟ ୯୦ ପ୍ରତିଶତ ଯାଏଁ ହ୍ରାସ ପାଇଛି ।
Advertisment
ଜାତିସଂଘର କହିବା ଅନୁଯାୟୀ, ଲେବାନନର ୮୨ ପ୍ରତିଶତରୁ ଅଧିକ ଲୋକ ଗରିବ ହୋଇଯାଇଛନ୍ତି । ସ୍ଥିତି ଉପରେ ଆଲୋଚନା କରି ଉପପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷତି ଭରଣା ଦାୟିତ୍ୱ ଦେଶ, କେନ୍ଦ୍ରୀୟବ୍ୟାଙ୍କ ବାନକ୍ୟୁ ଡୁ- ଲିବନ୍ , ବ୍ୟାଙ୍କ ଓ କର୍ମକର୍ତ୍ତାଙ୍କ ଉପରେ ରହିବ । ତେବେ ଦେଶ ଦେବାଳିଆ ହେବାର କାରଣ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଭୁଲ ନୀତି ବୋଲି କହିଛନ୍ତି ଉପପ୍ରଧାନମନ୍ତ୍ରୀ ।
୨ ବର୍ଷ ଧରି ଆର୍ଥିକ ସଙ୍କଟରେ ବୁଡିରହିଥିଲା ଲେବାନନ୍ । ୨୦୧୯ ଅକ୍ଟୋବରରେ ଲେବାନନରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା । ଦେଶର ଏଭଳି ଅବସ୍ଥା ପାଇଁ କ୍ଷମତାସୀନ ସରକାରର ଭ୍ରଷ୍ଟ୍ରାଚାର ଦାୟୀ ବୋଲି କୁହାଯାଉଛି । ଏପରିକି ସରକାର ସରକାର ବିଗୁଡିଥିବା ଆର୍ଥିକ ସ୍ଥିତିକୁ ସଜାଡିବା ଲାଗି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଦେଶରେ ମୁଦ୍ରାସ୍ଫିତି ୯୦ ପ୍ରତିଶତ ଯାଏଁ ଖସିଯାଇଛି । ଫଳରେ ଦେଶରେ ଦରଦାମ ବେଶ୍ ବଢିଯାଇଛି । ଲୋକଙ୍କୁ ଖାଇବାକୁ ମିଳୁନାହିଁ । ଲେବାନନର ଅଧିକାଂଶ ଲୋକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଇନ୍ଧନ ଅଭାବରୁ ଲୋକଙ୍କୁ ଅଧିକାଂଶ ସମୟ ଅନ୍ଧାରରେ ରହିବାକୁ ପଡୁଛି ।
ବିଶେଷ କରି ଆମଦାନୀ ଉପରେ ଲେବାନନ୍ ନିର୍ଭର କରିଥାଏ । ଆର୍ଥିକ ସଙ୍କଟ ପାଇଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବି ଖାଲି ହୋଇଯାଇଛି ଫଳରେ ଆମଦାନୀ ହୋଇପାରୁନାହିଁ । ବେରୋଜଗାରୀ ୪୦ ପ୍ରତିଶତ ବଢିଯାଇଛି । ମହାମାରୀ କରୋନା ଲୋବାନନର ସ୍ଥିତିକୁ ଆହୁରି ଖରାପ କରିଦେଇଛି । ୨୦୨୦ ରେ ବନ୍ଦରରେ ବିାସ୍ଫାରଣ ବି ଆର୍ଥିକ ସ୍ଥିତିକୁ ଜଟିଳ କରିଛି ।