କନକ ବ୍ୟୁରୋ: ଛତିଶଗଡ ଝିଅକୁ ଧୋକା ଦେଲା ଓଡ଼ିଆ ପୁଅ । ଦୁଇ ପରିବାର ସହମତିରେ ବିବାହ ହୋଇଥିଲା । ଏବେ ଦୁଇ ପିଲା ରହିଥିବା ବେଳେ ସ୍ତ୍ରୀ ଓ ପିଲାଙ୍କୁ ଭୁଲିଗଲା ସ୍ୱାମୀ । ଓଡ଼ିଶା ଆସି ଅନ୍ୟ ଜଣେ ଯୁବତୀଙ୍କ ବିବାହ କରଛନ୍ତି କଟକ ନିଆଳି ଅଂଚଳର ରାଜେନ୍ଦ୍ର ପାଲ । ଆଉ ସ୍ୱାମୀକୁ ଖୋଜି ଖୋଜି ନିଆଳିରେ ପହଂଚିଛନ୍ତି ସ୍ତ୍ରୀ । ସାଙ୍ଗରେ ଅଛନ୍ତି ଦୁଇ ପିଲା । ଏନେଇ ସ୍ତ୍ରୀ ସ୍ୱାତୀ ଠାକୁର ନିଆଳି ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ନିଆଳି ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Advertisment

ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ୱାତୀଙ୍କ ଅଭିଯୋଗ ଅନୁଯାୟୀ, ରାଜେନ୍ଦ୍ର ପାଲ ୨୦୧୪ର ବୈଦିକ ରୀତିନୀତି ଅନୁଯାୟୀ ତାଙ୍କୁ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷ ୫୦ହଜାର ଟଙ୍କା ସମେତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଯୌତୁକ ଆକାରରେ ଦେଇଥିଲେ । ୩ବର୍ଷ ଧରି ସେମାନେ ଛତିଶଗଡରେ ରହିବା ପରେ ନିଆଳି ତିହୁଡିକୁ ଫେରିଥô୍ଲେ । ତିହୁଡିରେ ୪ବର୍ଷ ରହିବା ପରେ ସ୍ୱାମୀ ଶାଶୁ ଓ ଶଶୁର ଅଧିକ ଯୌତୁକ ଦାବି କରି ସ୍ୱାତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ । ପରେ ସ୍ୱାତୀ ପୁଣି ତାଙ୍କ ଘର ଛତିଶଗଡକୁ ଚାଲିଯାଇଥିଲେ । ସେଠାରେ ତାଙ୍କ ସ୍ୱାମୀଙ୍କ ନାମରେ ଏକ ମାମଲା କରିବା ପରେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ହୋଇ ସ୍ୱାତୀ ପୁଣି ନିଆଳି ସ୍ଥିତ ଶଶୁର ଘରକୁ ଫେରିଥିଲେ । ମାତ୍ର ୧ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବି କରି ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ନିର୍ଯାତନା ଦେବାରୁ ଗତ ଫେବୃଆରୀରେ ସ୍ୱାତୀ ଛତିଶଗଡ ଚାଲିଯାଇଥିଲେ । ଗତ ଜୁନ୍ ମାସରେ କାକଟପୁର ମା ମଙ୍ଗଳା ମନ୍ଦିରରେ ଅନ୍ୟଜଣେ ଯୁବତୀଙ୍କ ସହ ରାଜେନ୍ଦ୍ର ବିବାହ କରିଥିଲେ । ଏନେଇ ସ୍ୱାତି ଜାଣିବା ଛତିଶଗଡ଼ରୁ ନିଆଳି ଆସି ଅଭିଯୋଗ କରିଛନ୍ତି ।