ସିଲ୍କ ସିଟିର ଗୋଲାପ ଚାଷୀ । କଠିନ ପରିଶ୍ରମ ଫଳରେ ଏକର ଏକର ଜମିରେ ଫୁଟୁଛି ଭଳିକି ଭଳି ଗୋଲାପ

105

କନକ ବ୍ୟୁରୋ : କଥାରେ ଅଛି ଉଚ୍ଚ ପଦବୀର ଚାକିରୀ ହେଉ କିମ୍ବା ଭଲ ଦରମା । ଯଦି ମନରେ ଶାନ୍ତି ନ ଥାଏ କିମ୍ବା ସେ କାମ କରିବାରେ ଆଶ୍ୱସ୍ତି ନ ଥାଏ ତାହେଲେ କାମ କରିବାରେ ମଜା ଆସେନି । ଠିକ୍ ଏଭଳି କିଛି ଘଟିଛି ଶ୍ରୀଧର ଭର୍ମା ଓ ରମେଶ ଚନ୍ଦ୍ର ପାତ୍ରଙ୍କ କ୍ଷେତ୍ରରେ । ବ୍ରହ୍ମପୁର ସହରର ଦୁଇ ସଫଳ ଚାଷୀ ଶ୍ରୀଧର ଭର୍ମା ଓ ରମେଶଚନ୍ଦ୍ର ପାତ୍ର । ସରକାରୀ ଚାକିରୀ ପରେ ଘରେ ନ ବସି କିଛି କରିବା ପାଇଁ ସ୍ଥିର କରିଥିଲେ ରମେଶ ଚନ୍ଦ୍ର ପାତ୍ର । କଲିକତାରେ ଇକୋ ବ୍ୟାଙ୍କରେ ଚାକିରୀ କରିବା ସମୟରେ ଟ୍ରେନିଂ ପାଇଁ ସେ ପୁନା ଯାଇଥିଲେ । ସେଠାରେ ସେ ଫୁଲଚାଷ ଫାର୍ମ ଦେଖିଥିଲେ । ଏବଂ ସାତଦିନ ସମୟ ବାହାର କରି ସେ ଏବଂ ତାଙ୍କ ସ୍ତ୍ରୀ ଚାଷ ଉପରେ ଟ୍ରେନିଂଙ୍ଗ ନେଇଥିଲେ ।

୨୦୧୫ ମସିହାରେ ଚାକିରୀରୁ ଅବସର ପରେ ନିଜ ସ୍ତ୍ରୀଙ୍କ ଏହି ଚାଷ କାମ ପ୍ରତି ଆଗ୍ରହ ଦେଖି ୨୦୧୭ ଆରମ୍ଭ କରିଥିଲେ ଗୋଲାପ ଚାଷ । ପ୍ରାୟ ଏକ ଏକର ଜାଗାରେ ଏହି ଚାଷ କରିବା ପାଇଁ ପାଖାପାଖି ୧୪ଲକ୍ଷ ଟଙ୍କାର ଆବଶ୍ୟକତା ପଡିଥାଏ । ଏବଂ ଏହି ଚାଷ ପାଇଁ ସରକାରଙ୍କ ତରଫରୁ ଶତକଡା ୭୦ ଭାଗ ଋଣ ଛାଡ ମଧ୍ୟ ମିଳିଥାଏ । ଏବେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ନିଜେ ରୋଜଗାର କରି ନିଜେ ସ୍ୱାବିଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାରର ରାସ୍ତା ଦେଖାଇଛନ୍ତି । କେବଳ ଏତିକି ନୁହେଁ ଏବେ ଏହି ଗୋଲାପ ଫୁଲ ବ୍ରହ୍ମପୁର ସହରରୁ ଉତ୍ପାଦନ ହୋଇ ଭୁବନେଶ୍ୱର ଏବଂ କଲିକତା ଭଳି ସହରକୁ ମଧ୍ୟ ପଠାଯାଉଛି ।

ଅନେକ ଲୋକ ପାଠପଢ଼ା ସମୟ ପରେ ଚାକିରୀ ଖୋଜିବା ଆରମ୍ଭ କରନ୍ତି । କିନ୍ତୁ ବ୍ରହ୍ମପୁର ସହରରୁ କିଛି ଦୂରରେ ଥିବା ପାର୍ବତୀପୁରର ଶ୍ରୀଧର ଭର୍ମା ପାଠପଡ଼ା ସମୟରୁ ହିଁ ଆରମ୍ଭ କରିଥିଲେ ଚାଷ କାମ । ପନିପରିବା ଚାଷ କରିବା ସହ ଅନେକ ଫୁଲଗଛ ମଧ୍ୟ ଲଗାଇଥିଲେ । ୨୦୦୨ମସିହାରେ ଉଦ୍ୟାନ ବିଭାଗ ଜରିଆରେ ସେ ତାଲିମ ମଧ୍ୟ ପାଇଥିଲେ । ଦିନକୁ ଦିନ ଉତ୍ପାଦନ ବଢ଼ିଲା ହେଲେ ଆବଶ୍ୟକତା ହିସାବରେ ଟଙ୍କା ମିଳିଲାନି । ବଜାରରେ ଆଣି ଦୋକାନୀଙ୍କୁ ଫୁଲ ଦେଲେ ବି ସେମାନେ ତାର ଉଚିତ ମୂଲ୍ୟ ପାଇଲେ ନାହିଁ ।

ଶେଷରେ ସେମାନେ ଫୁଲଚାଷୀଙ୍କୁ ନେଇ ସଂଘ ନିର୍ମାଣ କରି ନାବାର୍ଡ । ସାହାଯ୍ୟରେ ଏକ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଆରମ୍ଭ କରିଲେ । ସେଠାରେ ନିଜ ଆଦାୟ କରୁଥିବା ଫୁଲର ଉଚିତ ମୂଲ୍ୟ ପାଇ ବେଶ୍ ଲାଭବାନ ବି ହେଲେ । ଗୋଟିଏ ଫୁଲକୁ ସିଜନ ସମୟରେ ୮ ରୁ ୧୨ ଟଙ୍କା ଏବଂ ଅନ୍ୟଦିନେ ଏହି ଫୁଲକୁ ୨ରୁ୪ଟଂକାରେ ବିକ୍ରି କରୁଛନ୍ତି । ଗୋଟିଏ ଏକର ପ୍ରାୟ ୫ଲକ୍ଷରୁ ଅଧିକା ଫୁଲ ଆଦାୟ ହୁଏ ଯାହାର ଆନୁମାନିକ ମୂଲ୍ୟ ୧୫ରୁ୨୦ଲକ୍ଷ ଟଙ୍କା । କିନ୍ତୁ ଲଗାତର ବାତ୍ୟା ଏବଂ ଶେଷରେ କୋଭିଡ ଲାଗି ପ୍ରତ୍ୟେକ ଚାଷୀ ଏକର ପିଛା ଲକ୍ଷଲକ୍ଷ ଟଙ୍କା କ୍ଷତି ସହିଲେ ।