ହାତ ଉଠୁଛି ଯେତିକି ଖସୁଛି ସେତିକି ! ବିଭିନ୍ନ ରାଜ୍ୟରେ ସଙ୍କଟରେ ସଂଗଠନ, କଂଗ୍ରେସକୁ ଘାରିଛି ନେତୃତ୍ୱ କନ୍ଦଳ ।

241

କନକ ବ୍ୟୁରୋ : କଂଗ୍ରେସ ଦଳକୁ ଘାରିଛି ନେତୃତ୍ୱ କନ୍ଦଳ । ବିଭିନ୍ନ ରାଜ୍ୟରେ ସଂକଟରେ ସଂଗଠନ । ଗତବର୍ଷ ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ନେତୃତ୍ୱ ସଂକଟରେ ପଡିଯାଇଛି କଂଗ୍ରେସ । ମେ’ ୨୫ କଂଗ୍ରେସ କାର୍ଯ୍ୟକାରିଣୀରେ ଦଳର ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇମାସ ଧରି ଦଳ ଦ୍ୱନ୍ଦ୍ୱରେ ରହିଲା, କାରଣ ନିଷ୍ପତିର ପୁନର୍ବିଚାର କରିବାକୁ ପ୍ରସ୍ତୁତ ନଥିଲେ ରାହୁଲ । ନେତୃତ୍ୱହୀନ କଂଗ୍ରେସରେ ବିବାଦ ବଢିବା ଆଗରୁ ପୁଣି ଆଗକୁ ଆସିଥିଲେ ସୋନିଆ ଗାନ୍ଧୀ । ଅଗଷ୍ଟ ୧୦ରେ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଦେବା ପରଠାରୁ ରାଜ୍ୟ ସଂଗଠନ ଗୁଡିକରେ ଲାଗିରହିଛି ଅସ୍ଥିରତା ।

ମଧ୍ୟପ୍ରଦେଶ : 
ମଧ୍ୟପ୍ରଦେଶରେ କଂଗ୍ରେସ ସଭାପତିଙ୍କ ନାଁକୁ ଝୁଲାଇ ରଖିଛି ଦଳ । ଡିସେମ୍ବର ୨୦୧୮ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରଠାରୁ ସଭାପତି ଆସନ ଛାଡିବା ପାଇଁ ବାରମ୍ବାର ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ହେଲେ ବର୍ଷେରୁ ଅଧିକ ସମୟ ହେଲା ନିଷ୍ପତି ଝୁଲାଇ ରଖିଛନ୍ତି ସୋନିଆ । ଯାହା ଜ୍ୟୋତିରାଦିତ୍ୟଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ନିରାଶ କରିଥିଲା । ହେଲେ ଛାମୁଆ ନେତାଙ୍କ ଭିତରେ ନେତୃତ୍ୱକୁ ନେଇ ଏହି ଅସନ୍ତୋଷ କେବଳ ମଧ୍ୟପ୍ରଦେଶ କଂଗ୍ରେସରେ ସୀମିତ ନାହିଁ ।

କର୍ଣ୍ଣାଟକ :
ଗତ ଡିସେମ୍ବର ଉପନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କର୍ଣ୍ଣାଟକ ପିସିସି ପଦରୁ ଇସ୍ତଫା ଦେଇଥିଲେ ଦୀନେଶ ଗୁଣ୍ଡୁ ରାଓ । ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ସେ ଏଭଳି ନିଷ୍ପତି ନେଇଥିଲେ । ସେପଟେ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇସାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କଂଗ୍ରେସ ହାଇକମାଣ୍ଡଙ୍କ ନେତୃତ୍ୱରେ ଘନଘନ ବୈଠକ ପରେ ଦଳର ଟ୍ରବୁଲ ସୁଟର ଡିକେ ଶିବକୁମାରଙ୍କ ନାଁ କର୍ଣ୍ଣାଟକ ପିସିସି ସଭାପତି ପଦ ଲାଗି ଏକପ୍ରକାର ଚୂଡାନ୍ତ ହୋଇଛି । ହେଲେ ଲିଙ୍ଗାୟତ ନେତା ଏମବି ପାଟିଲଙ୍କ ପାଇଁ ସିଦ୍ଧରମୈୟା ଲବି ଚଳାଇଥିବାରୁ ଶିବକୁମାରଙ୍କ ନାଁରେ ମୋହର ବାଜି ପାରୁନି ।

ପଞ୍ଜାବ :
ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଥିବା ମତଭେଦ ଦୂର କରିବାରେ ବିଫଳ ହୋଇଛନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ । ଗତ ଫେବ୍ରୁଆରୀରେ ସୋନିଆ ଓ ପ୍ରିୟଙ୍କାଙ୍କୁ ଭେଟି ଦଳ ଭିତରେ ତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା କରିଥିଲେ ସିଦ୍ଧୁ ।

ହରିୟାଣା :
ହରିୟାଣା ବିଧାନସଭା ନିର୍ବାଚନର ଅଳ୍ପଦିନ ପୂର୍ବରୁ ପିସିସି ପଦରୁ ଅଶୋକ ତନୱରଙ୍କୁ ହଟାଇଦେଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ । କୁମାରୀ ଶୈଳେଜାଙ୍କୁ ତାଙ୍କ ସ୍ଥାନରେ ରାଜ୍ୟ ନେତୃତ୍ୱ ଦେଇ ନିର୍ବାଚନ ପରିଚାଳନାର ଭାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ କାନ୍ଧରେ ଦେଇଥିଲା ଦଳ । ତାଙ୍କରି ନେତୃତ୍ୱରେ ବିଜେପିକୁ ମ୍ୟାଜିକ ନମ୍ବରରୁ ଦୂରେଇ ରଖିବାରେ ଯଦିଓ କଂଗ୍ରେସ ସମର୍ଥ ହେଲା କିନ୍ତୁ ସରକାର ଗଢିବାରୁ ଦୂରେଇ ରଖିବାରେ ସମର୍ଥ ହେଲାନାହିଁ ।

ମହାରାଷ୍ଟ୍ର :
ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସର ପରିଚାଳନାଗତ ଢାଂଚା, ଲଢୁଆ ମନୋଭାବ ଏବଂ ନିର୍ବାଚନୀ କୌଶଳ ମୈଦାନରେ ଦେଖିବାକୁ ମିଳିନଥିଲା । ଆରକେଭି ପାଟିଲ, ହର୍ଷବର୍ଦ୍ଧନ ପାଟିଲ ଓ ସଂଜୟ ନିରୁପମଙ୍କ ଭଳି ନେତାଙ୍କର ରାଜ୍ୟ ନେତୃତ୍ୱ ସହ ମନୋମାଳିନ୍ୟ ବିଧାନସଭା ନିର୍ବାଚନରେ ଜଳଜଳ ହୋଇ ବାରି ହୋଇଗଲା । ଯାହା ଫଳରେ ଦଳ ରାଜ୍ୟରେ ଚତୁର୍ଥ ସ୍ଥାନକୁ ଖସିଆସିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରିଲା ନାହିଁ କଂଗ୍ରେସ । ଲୋକସଭା ନିର୍ବାଚନ ପରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଉତମ କୁମାର ରେଡ୍ଡି ଏବଂ ଓଡିଶା କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ନିଜନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଆଜିଯାଏଁ କେନ୍ଦ୍ରୀୟ ନେତୃତ୍ୱ ଏମାନଙ୍କ ବିକଳ୍ପ ଖୋଜିପାରି ନାହାନ୍ତି । ରାଜସ୍ଥାନ ଓ ଛତିଶଗଡରେ ମଧ୍ୟ ନେତୃତ୍ୱ କନ୍ଦଳ ରହିଛି । ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ଇସ୍ତଫା ଏହି ନେତୃତ୍ୱ କନ୍ଦଳ ପ୍ରସଙ୍ଗଟିକୁ ଗୁରୁତ୍ୱ ଦେବାପାଇଁ ଆଖି ଖୋଲିଛି, ନେହେଲେ ବୁଡିଯାଇପାରେ ଏହି ସର୍ବପୁରାତନ ରାଜନୈତିକ ଦଳ ।