କନକ ବ୍ୟୁରୋ: ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପୂର୍ବରୁୁ ବିଜେପିର ପ୍ରଚାରକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟର ୩ଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ । ଲୋକସଭା ଓ ବିଧାନସଭା ନିର୍ବାଚନର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପ୍ରଚାର ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଓଡିଶା ବିଜେପି ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ ମୋଦୀ ୩ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପ୍ରଥମେ ବାରିପଦା ଅଭିମୁଖେ ଯାତ୍ରା କରିବେ । ଅପରାହ୍ନ ସାଢ଼େ ୧୨ଟାରେ ଛଉ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ସେଠାରୁ ଅପରାହ୍ନ ୨ଟାରେ ବାଲେଶ୍ୱର ରେମୁଣାସ୍ଥିତ ନରହରି ପଡ଼ିଆକୁ ଯାଇ ଅନ୍ୟ ଏକ ସାଧାରଣ ସଭାରେ ଅଭିଭାଷଣ ଦେବେ ।

ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ବରୁଆ ପଡ଼ିଆରେ ମୋଦୀ ଶେଷ ଅଭିଭାଷଣ ଦେବା ପରେ ଦିଲ୍ଲୀ ଫେରିବେ । ଗତକାଲି ଖବର ସରବରାହ ସଂସ୍ଥା ଏଏଏଆଇକୁ ମୋଦୀ କହିଥିଲେ, ଏକ ଗୋଷ୍ଠୀ ଓଡ଼ିଶାର ସମଗ୍ର ବ୍ୟବସ୍ଥାକୁ ଦଖଲ କରି ବନ୍ଦୀ କରି ରଖିଥିବା ଜଣାପଡିଛି । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ନବୀନଙ୍କ ସହ ତାଙ୍କର ସମ୍ପର୍କକୁ ଦ୍ୱାହି ଦେବାକୁ ପ୍ରସ୍ତୁତ । ତେଣୁ ଆଜି ମଧ୍ୟ ଶେଷ ଥର ପାଇଁ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବାକୁ ଯାଇ ଖୁବ ବର୍ଷିପାରନ୍ତି ମୋଦୀ ।

ବିଜେପିର ଘନ ଘନ ଆକ୍ରମଣ ଏବଂ କ୍ଷମତା ବଜାୟ ରଖିବାର ଆହ୍ୱାନ ଭିତରେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ପ୍ରଚାର କରିବେ । ପୁରୀ ନିମାପଡାରେ ନବୀନ କରିବେ ରୋଡ ଶୋ । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ନବୀନ କରିବେ ପ୍ରଚାର । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ ବିଜେଡିର ପ୍ରାର୍ଥୀ ହୋଇ ଆସୁଥିଲେ । ଏବେ ସେ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଆଉ ନିମାପଡାକୁ ବିଜେଡି ନିଜ ପକେଟରେ ରଖିବା ପାଇଁ ଅନେକ ନେତାଙ୍କୁ ଏହି ଆସନରେ ଲଗାଇଛି । ଏହି କ୍ରମରେ ଆଜି ରୋଡ ଶୋ କରି ନବୀନ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ବାଲେଶ୍ୱର ଏବଂ ଭଦ୍ରକ ଚାନ୍ଦବାଲିରେ ଜନସଭାରେ ସେ ଯୋଗଦେବେ । ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ । ଆସନ୍ତାକାଲି ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ପ୍ରଚାରର ଶେଷ ଦୁଇ ଦିନ ଆଜି ଏବଂ ଆସନ୍ତାକାଲି ରହିଛି । ତେଣୁ କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଦଳର କେନ୍ଦ୍ରୀୟ ନେତାଙ୍କୁ ମୈଦାନକୁ ଓହ୍ଲାଇଛି ।