କନକ ବ୍ୟୁରୋ: ଗଞ୍ଜାମରେ ଗୋଟିଏ ମାସରେ ତିନି ତିନିଟି ମୁଣ୍ଡ ଗଡିବା ପରେ ଆତଙ୍କରେ ନେତା ଓ ଜନତା । କେତେବେଳେ କାହାର ପାଳି ପଡିବ ସେ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲାରେ ରାଜନୈତିକ ହିଂସା ବଢିବା ଆଶଙ୍କା ରହିଛି । ଆଉ ନିଜ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଛନ୍ତି ନେତା ଓ ଜନପ୍ରତିନିଧି ।

Advertisment

ଗୋଟିଏ ମାସ ଭିତରେ ଗଞ୍ଜାମରେ ତିନି ଜଣ ବିଜେଡି ନେତାଙ୍କ ହତ୍ୟା ପରେ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗକୁ ଆଉ କାହାର କେତେବେଳେ ପାଳି ପଡିବ, ହିଂସାକାଣ୍ଡର ଶିକାର ହେବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ନେତା । ବିଶେଷକରି ୪ତାରିଖରେ ଦିଗପହଣ୍ଡି ବ୍ଲକ ଅକ୍ଷ୍ୟକ୍ଷ ଉପନିର୍ବାଚନ ହେବାକୁ ଥିବାରୁ, ଗୋଟିଏ ଗୋଷ୍ଠୀର ସମିତି ସଭ୍ୟ ଆତଙ୍କିତ ହୋଇପଡିଛନ୍ତି । କହିଛନ୍ତି, ଗଞ୍ଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ୟା କରାଯାଉଛି, ସେମାନେ ବି ସେମିତି ଆକ୍ରମଣର ଶିକାର ହୋଇପାରନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ।

କେବଳ ଦିଗପହଣ୍ଡି ନୁହେଁ ପୂରା ଜିଲ୍ଲାରେ ସମାନ ଅବସ୍ଥା । ସିରିଜ୍ ହତ୍ୟାକାଣ୍ଡ ପରେ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଓ ବିଭିନ୍ନ ଦଳର ନେତା । ଆଉ ନିର୍ବାଚନ ଯେତିକି ପାଖେଇ ଆସିବ ରାଜନୈତିକ ହିଂସା ସେତିକି ବଢ଼ିବ ବୋଲି ଆଶଙ୍କା କରିଛନ୍ତି ।

ତେବେ ବିଜେଡି ନେତାଙ୍କ କହିବା କଥା, ଗଞ୍ଜାମରେ ସେମିତି କିଛି ନାହିଁ । ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମର ସାଧାରଣ ଲୋକ ବି ଆତଙ୍କିତ ହୋଇପଡିଛନ୍ତି ।

ଗଞ୍ଜାମରେ ରାଜନୈତିକ ହିଂସାକାଣ୍ଡ କିଛି ନୂଆ କଥା ନୁହେଁ । ପୂର୍ବରୁ ରାଜନୈତିକ ଶତ୍ରୁତାରୁ ଗଞ୍ଜାମରେ ବହୁ ନେତାଙ୍କ ମୁଣ୍ଡ ଗଡିଛି । ବିଶେଷକରି ନିର୍ବାଚନ ପାଖେଇ ଆସିଲେ ଏହା ବଢ଼ିଯାଏ । ଆଉ ଆଗକୁ ନିର୍ବାଚନ ଆସୁଥିବାରୁ ଓ ରାଜନୈତିକ ରକ୍ତପାତ ଆରମ୍ଭ ହୋଇଯାଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହେବ ।