ଜାତି ଭିତ୍ତିକ ଜନଗଣନା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୧୦ଟି ଦଳର ନେତା । ନେତୃତ୍ୱ ନେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଜାତି ଭିତ୍ତିିକ ଜନଗଣନା ହୋଇପାରିବନି ବୋଲି ସଂସଦରେ କହିଥିଲେ ସରକାର ।

197

କନକ ବ୍ୟୁରୋ: ଜାତି ଭିତ୍ତିକ ଜନଗଣନା ନେଇ ସାରା ଦେଶରେ ତେଜୁଛି ରାଜନୀତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ୧୦ଟି ଦଳର ନେତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସାଉଥ ବ୍ଲକରେ ବସିଥିଲା ସ୍ୱତନ୍ତ୍ର ମିଟିଙ୍ଗ୍ । ଯେଉଁଠି ବିହାର ଡେଲିଗେସନ୍ ଟିମ୍ ସହ ୪୦ ମିନିଟ୍ ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଭେଟିବା ପରେ ନୀତିଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଖରେ ସମସ୍ତ ରୂପରେଖ ରଖିଛୁ, ସମସ୍ତ କଥା ମଧ୍ୟ ମୋଦୀ ଶୁଣିଛନ୍ତି ।

କିଛି ଦିନ ଧରି ନୀତିଶ କୁମାର ଦେଶରେ ଜାତି ଭିତ୍ତିକ ଗଣନା ହେଉ ବୋଲି ଦାବି କରିଆସୁଛନ୍ତି । କିଛି ଦିନ ପୂର୍ବରୁ ଲୋକସଭାର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ମତ ଦେଇଥିଲେ ଯେ କେନ୍ଦ୍ର ଦେଶରେ ଜାତି ଭିତ୍ତିକ ଗଣନା ସପକ୍ଷରେ ନାହିଁ । ତେବେ ଏହି ମତାମତ ପରେ ନୀତିଶ ଟ୍ୱିଟ କରି ସୂଚନା ଦେଇଥିଲେ ଯେ ୨୦୧୯ରେ ଜାତି ଭିତ୍ତିକ ଗଣନା ସମ୍ପର୍କିତ ଏକ ବିଧେୟକ ବିଧାନସଭାରେ ସର୍ବସମ୍ମତିରେ ପାସ କରି କେନ୍ଦ୍ର ନିକଟକୁ ପଠାଇଥିଲେ । ତେବେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଜାତି ଗଣନା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଥିବା ଜଣାପଡିଛି । ଜେଡିୟୁ, ଆରଜେଡି ସମେତ ବିଜେପି, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, କଂଗ୍ରେସ, ସିପିଆଇ-ଏମଏଲ, ଏଆଇଏମଆଇଏମ, ସିବିଆଇ, ସିପିଏମ ଏବଂ ଭିଆଇପି ଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇଛନ୍ତି ।