କନକ ବ୍ୟୁରୋ: ଶାସକ ଦଳ ବିଜେଡି ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ବାକି ଥିବା ଆସନର ଟିକେଟ ଆଶାୟୀଙ୍କ ଟେନସନ ବଢ଼ି ଯାଇଛି । ଟିକେଟ ମିଳିବ କି ନାହିଁ ଦ୍ୱନ୍ଦ୍ୱରେ ପଡିଛନ୍ତି ବର୍ଷ ବର୍ଷ ଧରି ନିଜ ନିଜ ନିର୍ବାଚନମଣ୍ଡଳୀରେ ସଂଗଠନ କରୁଥିବା ଆଶାୟୀ ପ୍ରାର୍ଥୀ । ଯାହାର ପ୍ରତିଫଳନ ଦେଖିବାକୁ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସି ରାଜଧାନୀରେ ଦେଖିବାକୁ ମିଳିଛି । ନେତାମାନେ ନିଜ ନିଜ ସମର୍ଥକଙ୍କୁ ଆଣି ଭୁବନେଶ୍ୱରରେ ପତିଆରା ଦେଖାଇବାସ ହ ଟିକେଟ ପାଇଁ ଚଳାଇଛନ୍ତି ଲବି ।

Advertisment

ନିବାଚନ ପାଇଁ ନେତା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା କଥା, କିନ୍ତୁ ରାଜଧାନୀର ଏହି ଘଟଣା ନିଆରା କଥା କହୁଛି । ନେତାମାନେ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ବଦଳରେ, ରାଜଧାନୀକୁ ଆସି ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଅନୁଗୁଳର ଟିକେଟ ଘୋଷଣା ବିଳମ୍ବ ହେବାରୁ ଭୁବନେଶ୍ୱର ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନୁଗୁଳର ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଟିକେଟ ଘୋଷଣା କାହିଁକି ବିଳମ୍ବ ହେଉଛି ପଚାରିବା ସହ, ନିଜ ସମର୍ଥକଙ୍କୁ ଧରି ଆସି ପତିଆରା ଦେଖାଇଛନ୍ତି । ଏଥିସହ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ, ତାଙ୍କୁ ଅନ୍ୟମାନେ ଟାହି ଟାପରା କରୁଥିବା ସେ ଅଭିଯୋଗ କରିଛନ୍ତି ।

ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର, ହିନ୍ଦୋଳ, ଅନୁଗୁଳ, ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । କୁହାଯାଉଛି କିଛି ଆସନରେ ଦଳ ଅଦଳବଦଳ କରିପାରେ । ଅନୁଗୁଳ ଭଳି କେନ୍ଦୁଝର ତେଲକୋଇରେ ସମାନ ଅବସ୍ଥା । ତେଲକୋଇରେ ପ୍ରେମାନନ୍ଦ ଦଳ ଛାଡିବା ପରେ ବିଜେଡି ସେଠି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା । ଏହାରି ଭିତରେ ନବୀନ ନିବାସ ଆସି ଟିକେଟ କଥା କହିଛନ୍ତି ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ । ସେହିପରି ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିଥିଲେ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଆଶାୟୀ ବାସନ୍ତି ମହାପାତ୍ର ।

କେବଳ ଏହି କେତୋଟି ଆସନ ନୁହେଁ ସୂଚନା ଅନୁସାରେ ୧୦ରୁ ୧୨ଟି ବିଧାନସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ହିସାବ କିତାବ ଚାଲିଛି । ଯାହାଫଳରେ ନୂଆ ପ୍ରାର୍ଥୀ ତାଲିକା ଆସିବା ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଠିକ୍ ସମୟରେ ଟିକେଟ ଘୋଷଣା ହେବ ।