୨୪ ଲଢେଇ ପାଇଁ ନାଁ ଭରିଲେ ନେତା । ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ବିଧାୟକ ପ୍ରାର୍ଥୀ ।

144

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୮ ତାରିଖରୁ ନୋମିନେସନ୍ ଜାରି ରହିଛି । ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନୂଆପଡାର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା । ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ଅଭିନନ୍ଦନ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି । ନୋମିନେସନ୍ କରିବା ପରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ଏବଂ ମୋଦୀଙ୍କ ଗ୍ୟାରେଂଟି ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।

ସେପଟେ ରାୟଗଡାର କଂଗ୍ରେସ ପ୍ରାର୍ଥୀ ବିକାଟ ପଟୁଆରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରାକା ଶହଶହ ସମର୍ଥକଙ୍କୁ ନେଇ ଖୋଲା ଜିପ୍ରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଣନୀତି ଆଗରୁ ପ୍ରସ୍ତୁତ ହୋଇସାରିଛି । ଏବଂ ଆଜି ଠାରୁ ଅସଲ ଲଢେଇ ଆରମ୍ଭ ହେଲା ବୋଲି କହିଛନ୍ତି ଆପଲାସ୍ୱାମୀ କାଡ୍ରାକା । ରାୟଗଡାରେ କଂଗ୍ରେସ ହିଁ ବାଜିମାତ୍ କରିବ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି ।

ସେହିପରି ନାମାଙ୍କନ ଭରଛନ୍ତି ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ । ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦ୍ୱିତୀୟ ଥର ପାଇଁ ବିଧାୟକ ହେବାର ଆଶା ନେଇ ଶୁଭ ମୂହୁର୍ତ ଦେଖି ନାମାଙ୍କନ ଭରିବା ସହ ଆଗାମୀ ଦିନରେ ଦଳୀୟ ସାଂସଦ ପ୍ରାର୍ଥୀ ସହ ଜିଲ୍ଲାର ୪ଟି ବିଧାୟକ ପ୍ରାର୍ଥୀ ବିଜୟୀ ହେବେ ବୋଲି କହିଛନ୍ତି । ବିଧାୟକ ହିସାବରେ ଲୋକମାନଙ୍କ ପାଇଁ କରିଥିବା କାମକୁ ଭରସା କରି ଏଥର ବି ବିଧାୟକ ହେବେ ବୋଲି ଆଶା ରଖିଛନ୍ତି ।

ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାରଳଖେମୁଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ରୂପେଶ । ପାରଳାଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୂପେଶ ହଜାର ହଜାର ଦଳୀୟ କର୍ମୀଙ୍କ ସହ ହାଇଟେକ୍ ପ୍ଲାଜା ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ନାମଙ୍କନ ଭରିଛନ୍ତି । ଏବଂ ବିଜୟ ଆଶା ନେଇ ଲୋକଙ୍କ ଭେଟୁଛନ୍ତି ।