ଗଡୁଛି ସମୟ, ବଢୁଛି ନେତାଙ୍କ ହାର୍ଟବିଟ୍ । ଆଉ ମାତ୍ର ୪୮ ଘଣ୍ଟାର ସମୟ, ୧୯ ଯୁଦ୍ଧର ହେବ ମହାନିର୍ଣ୍ଣୟ ।

226

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରିଛି ଆଉ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିସାରିଛି । ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ଥିବା ବେଳେ ରାଜନୀତି ମଧ୍ୟ ସରଗରମ ରହିଛି । ସମୟର କଣ୍ଟା ଯେତିକି ଆଗକୁ ବଢୁଛି, ନେତାଙ୍କ ହୃତସ୍ପନ୍ଦନ ମଧ୍ୟ ସେତିକି ବଢି ବଢି ଚାଲିଛି । ଯେତେବେଳେ ଇଭିଏମରେ ବନ୍ଦ ହୋଇଥିବା ନେତାଙ୍କ ଭାଗ୍ୟ ଖୋଲିବ, ନିର୍ବାଚନୀ ମୈଦାନରେ ଦୀର୍ଘ ଦିନ ଧରି ଯେଉଁ କସରତ ଚାଲିଥିଲା, ସେଥିରେ ନେତା କେତେ ସଫଳ ହେଉଛନ୍ତି ତାହା ଜଣାପଡିବ ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବଢିଯାଇଛି ରାଜନୀତିର ପାରଦ । ଏକଜିଟ୍ ପୋଲର ଆକଳନ କହୁଛି, ଦେଶରେ ପୁଣି ଥରେ ବନିବାକୁ ଯାଉଛି ନରେନ୍ଦ୍ର ମୋଦିଙ୍କ ସରକାର । ଅର୍ଥାତ ଦେଶରେ ବିଜେପିକୁ ବହୁମତ ମିଳିବ । ସେହିପରି ଯଦି ଓଡିଶା ରାଜନୀତି ଉପରେ ନଜର ପକାଇବା, ତେବେ ଏଠାରେ ଯଦି ଏକଜିଟ୍ ପୋଲର ଆକଳନ ସତ ହୁଏ, ତେବେ ଇତିହାସ ରଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ରାଜନୀତିରେ ଦୁଇ ଜାତୀୟ ଦଳକୁ ଚେକ୍ ଦେଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିପାରନ୍ତି ନବୀନ ପଟ୍ଟନାୟକ ।

ଗଡୁଛି ସମୟ, ବଢୁଛି ଉତ୍କଣ୍ଠା । କ’ଣ ହେବ ୨୦୧୯ ନିର୍ବାଚନର ଫଳାଫଳ, ସେହି ସମୟକୁ ଦେଶବାସୀ ଚାହିଁ ରହିଛନ୍ତି । ଜନତାଙ୍କ ବିଶ୍ୱାସ ଜିଣିବାରେ ନେତା କେତେ ସଫଳ ହୋଇଛନ୍ତି, ଆଉ କାହାକୁ ଭରସିଛନ୍ତି ଭୋଟର ? ଏହି ତମାମ ପ୍ରଶ୍ନ ର ଉତ୍ତର ସେତେବେଳେ ମିଳିବ, ଯେତେବେଳେ ଇଭିଏମରେ ବନ୍ଦ ଥିବା ନେତାଙ୍କ ଭାଗ୍ୟ ଖୋଲିବ । ଆଉ ନିର୍ବାଚନ ଫଳାଫଳ ଆସିବା ଆଗରୁ ଆରମ୍ଭ ହୋଇଯାଇଛି ନେତାଙ୍କ ବୟାନ ବାଜି ।

ଦେଶରେ ମୋଦି ସରକାରଙ୍କୁ ବହୁମତ ମିଳିବା ନେଇ ଏକଜିଟ୍ ପୋଲର ଆକଳନ ପରେ ବିଜେପି ଶିବିରରେ ଖୁସିର ମାହୋଲ ଖେଳି ଯାଇଥିବା ବେଳେ ବିରୋଧୀଙ୍କ ଚିନ୍ତା ବଢାଇଦେଇଛି । ଏପରିକି ଏକଜିଟ୍ ପୋଲ୍ ରିପୋର୍ଟକୁ ବିଶ୍ୱାସକୁ ନେଇ ପାରୁନାହାନ୍ତି ବିରୋଧୀ ନେତା । ୧୯ ଯୁଦ୍ଧର ରଣାଙ୍ଗନରେ ବିଜୟ ନେଇ ସମସ୍ତ ରାଜନୈତିକ ଦଳ ନିଜ ସପକ୍ଷରେ ଦମ୍ଭୋକ୍ତି ବାଢୁଛନ୍ତି । ତେବେ ଏକଜିଟ୍ ପୋଲର ଆକଳନ ଆଉ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, ଜନମତ କାହା ସପକ୍ଷରେ ରହିଛି । ଜନତାଙ୍କ ଭରସା ଜିଣିବାକୁ ନେତା ଯେଉଁ ରଣନୀତି କରିଥିଲେ ତାହା କେତେ ସଫଳ ହେଉଛି ।