ଟ୍ରଲିରେ ପତ୍ନୀଙ୍କୁ ନେଲା ବେଳେ ପଡିଲାନି କାହାରି ନଜର, ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ପ୍ରାଣ । କିନ୍ତୁ ଏବେ ପ୍ରତିଶ୍ରୁତିର ପୁଡିଆ ଧରି କବୀରଙ୍କ ଘରେ ନେତା ହାଜର । 

191

କନକ ବ୍ୟୁରୋ : ଜଣେ ଗରିବ ଲୋକକୁ ସହାୟତାର ଆବଶ୍ୟକତା ପଡିଲେ ଅନେକ ମୁହଁ ମୋଡି ଦିଅନ୍ତି, କିନ୍ତୁ ଘଟଣା ପ୍ରଚାର ହୋଇଗଲେ, ଗରିବ ବ୍ୟକ୍ତି ଜଣକ, ବଡ ବଡ ଲୋକଙ୍କ ସହାନୁଭୂତିର ପାତ୍ର ପାଲଟିଯାଏ । ସତ୍ୟବାଦୀର କବିର ଭୋଇ କାହାର ସହାୟତା ନପାଇ, ନିଜ ପତ୍ନୀଙ୍କୁ ୭୫ କିଲୋମିଟର ଟ୍ରଲିରେ ଆଣିଲେ । କବିରଙ୍କ ପତ୍ନୀ ଡାକ୍ତରଖାନା ପହଂଚିଲେ ସତ, କିନ୍ତୁ ଚିକିତ୍ସା ପାଇବା ଆଗରୁ ଆଖି ବୁଜି ଦେଇଥିଲେ । ଏବେ କିନ୍ତୁ ସତ୍ୟବାଦୀର କବିର ଭୋଇଙ୍କ ଘର, ନେତାଙ୍କ ନୂଆ ଠିକଣା ବନିଯାଇଛି ।

ସତ୍ୟବାଦୀର  ଦାସବିଦ୍ୟାଧରପୁର ଗାଁରେ ଏବେ ବେଶ ଭିଡ ଜମୁଛି । ଆଉ କବୀର ଭୋଇଙ୍କ ଘରେ ରାଜନେତାଙ୍କ ସୁଅ ଛୁଟୁଛି । ସମସ୍ତେ କିଛି ନା କିଛି ସହାୟତା ଆଣୁଛନ୍ତି । କବିର ଭୋଇଙ୍କ ସହ କଥା ହେଉଛନ୍ତି ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଏବଂ କେବେ କିଛି ଦରକାର ହେଲେ ଜଣାଇବାକୁ କହୁଛନ୍ତି ।

୧୦ ଅକ୍ଟୋବର ୨୦୨୦ । କବିର ଭୋଇ ଏକ ଟ୍ରଲିରେ ଅସୁସ୍ଥ ପତ୍ନୀଙ୍କୁ ସୁଆଇ ପୁରୀରୁ କଟକ ୭୫ କିଲୋମିଟର ବାହାରିଥିଲେ । କଟକ ବଡ ମେଡିକାଲରେ ପହଞ୍ଚିବି ଗଲେ । ହେଲେ ପତ୍ନୀ ବଞ୍ଚିଲେନି । କିନ୍ତୁ ଏହି ଖବର ଜଙ୍ଗଲର ନିଆଁ ଭଳି ଚାରିଆଡେ ବ୍ୟାପିଗଲା । ଚର୍ଚ୍ଚା ହେଲା, କଳାହାଣ୍ଡିର ଦାନମାଝୀ ପରେ ଉପକୂଳରେ ଏଭଳି ଘଟଣା ଘଟିଛି । ଆଉ ତାପରେ ରାଜନୀତିର ରୋଟି ସେକିବାକୁ କବୀରଙ୍କ ଘରେ ଲାଗିଲା ନେତାଙ୍କ ଭିଡ । ପୁଳା ପୁଳା ପ୍ରତିଶୃତିର ପାହାଡ ଉପରେ କବୀରଙ୍କୁ ଛିଡା କରିଛନ୍ତି ନେତା । କିନ୍ତୁ ଦିନ ବିତିଯିବ, ନେତା ଚାଲିଯିବ । ହେଲେ ସେହି ପ୍ରତିଶ୍ରୁତିର ପୁଡିଆକୁ ଧରି କବୀରଙ୍କୁ ବଞ୍ଚିବାକୁ ପଡିବନି ତ? ଆମ ସମାଜରେ ଏଭଳି ଘଟଣା ସବୁବେଳେ ଘଟେ । ଯେତେବେଳେ ଜଣେ ବ୍ୟକ୍ତି ଖୁବ ଅସହାୟ ଥାଏ ଏବଂ ତାକୁ ସାହାଯ୍ୟର ଅତ୍ୟନ୍ତ ଆବଶ୍ୟକତା ଥାଏ ସେତେବେଳେ କାହା ପାଖରେ ସମୟ ନଥାଏ । କିନ୍ତୁ ଯେତେବେଳେ ଟିଭିରେ ଏକଥା ପ୍ରଚାର ହୁଏ, ତାପରେ ଆବଶ୍ୟକତା ନଥିଲେ ବି ସହ ଯୋଗର ହାତ  ଆପେ ଆପେ ବଢିଆସେ ।