କନକ ବ୍ୟୁରୋ: ବିଜେପି-ବିଜେଡି ମେଂଟକୁ ନେଇ ସ୍ପଷ୍ଟ ହେଉନି ଚିତ୍ର । ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ନେତାଙ୍କ ଘନ ଘନ ବୈଠକ ହେଉଛି । ହେଲେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରୁନାହିଁ । ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି ନେତା । ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ଶୀର୍ଷ ନେତୃତ୍ୱ ଯାହା ନିଷ୍ପତି ନେବେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାକୁ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଯାହା ନିଷ୍ପତି ନେବେ ବିଜେପି ଏବଂ ଓଡ଼ିଶା ପାଇଁ ଭଲ ହେବ ବୋଲି କହିଛନ୍ତି ନାଉରୀ ନାୟକ । ସେହିପରି ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, ମେଂଟ ନେଇ ରାଜ୍ୟ ସଭାପତି ପୂର୍ବରୁ କହି ସାରିଛନ୍ତି । ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ବାସଭବନରେ ଅନୌପଚାରିକ ବୈଠକ ବସିଥିବା କହିଛନ୍ତି ସୂରଜ ।

Advertisment

ସେପଟେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ମେଣ୍ଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଓ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତିି ନେବେ ସମସ୍ତେ ତାକୁ ମାନିବେ । ଆସନ ବୁଝାମଣା ନେଇ ତର୍ଜମା ଚାଲିଛି । ବର୍ତମାନ ସୁଦ୍ଧା ଆକଳନ ହୋଇନାହିଁ । ଉଭୟ ଦଳର ବିଚାର ବିମର୍ଶ ଚାଲିଛି । ତାହା ପରେ ନିଷ୍ପତି ନିଆଯିବ । ମେଂଟ ହେଲେ ବିଜେଡିର କିଛି କ୍ଷତି ହେବ ନାହିଁ । ସେହିପରି ସାଂସଦ ରମେଶ ମାଝୀ କହିଛନ୍ତି, ମେଣ୍ଟ ନେଇ ରାଜ୍ୟର ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ । ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବ ଦଳ ।

ସେପଟେ ମେଣ୍ଟ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଧାୟକ ସୁରେଶ ରାଉତରାୟ କହିଛନ୍ତି କଂଗ୍ରେସ ସହ ଅନେକ ବିଜେଡି ନେତା ଓ ବିଧାୟକ ଯୋଗାଯୋଗରେ ଅଛନ୍ତି । ମେଂଟ ହେଲେ କଂଗ୍ରେସକୁ ଅଧିକ ଫାଇଦା ହେବ । କଂଗ୍ରେସ ୧୦୦ ବିଧାନସଭା ଓ ୧୪ ଲୋକସଭାରେ ବିଜୟୀ ହେବ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।