ସରଗରମ ରାଜ୍ୟ ରାଜନୀତି ! ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା, ଜନମତ ହାସଲ ପାଇଁ ଚାଲିଛି ଅଙ୍କକଷା ।

122

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ବିଗୁଲ ବାଜିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଏହି କ୍ରମରେ ପଛରେ ରହିଛି ବିଜେପି । ଦଳ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ସେପଟେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।

କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରଦୀପ ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଆଜି ଦଳୀୟ ସମର୍ଥକଙ୍କ ସହ ରାଲିରେ ଆସି ନବରଙ୍ଗପୁର ଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆଉ ୩ ଜଣ ବିଧାୟକ ପ୍ରାର୍ଥୀ ମଧ୍ୟ ଆଜି ନିର୍ବାଚନ ରିଟଣ୍ଣିଂ ଅଫିସରଙ୍କ ପାଖରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେପଟେ ଦେବୀଙ୍କ ଦର୍ଶନ ପରେ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ଦାଖଲ ପୂର୍ବରୁ ନବୀନ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ପହଁଚି ନବୀନ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରତିଥର ନାମାଙ୍କନ ପୂର୍ବ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାନ୍ତି । ମାଆଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥାନ୍ତି ନବୀନ । ସେହିପରି ଚିକିିଟିରୁ ବିଜେଡି ପ୍ରାର୍ଥୀ ହୋଇଥିବା ଉଷାଦେବୀ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ସେ ବ୍ରହ୍ମପୁରରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଉଷାଦେବୀ ଲଗାତାର ଚିକିଟିରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ମଧ୍ୟ ଅଛନ୍ତି । ଏଥର ମଧ୍ୟ ନବୀନ ପଟ୍ଟନାୟକ ବହୁମତ ପାଇବେ ବୋଲି କହିଛନ୍ତି ଉଷାଦେବୀ ।

ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବୃଦ୍ଧି ପାଉଛି । ଜନମତ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ, ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆଉ ଏହାରି ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପର ରାଜନୀତି । ତେବେ ସମୟ ହିଁ କହିବ କ’ଣ ହେବ ଓଡିଶା ରାଜନୀତିର ଭାଗ୍ୟ ।