ଆନ୍ଧ୍ର ପରେ ଏବେ ଓଡ଼ିଶାରେ ନେତାଙ୍କୁ ଘାରିଲା ମାଓବାଦୀଙ୍କ ଚିନ୍ତା । ପୋଲିସର ଜୋରଦାର କମ୍ବିଂ ଅପରେସନ। ଭୟରେ ସ୍ଥାନୀୟ ନେତା ।

40

କନକ ବ୍ୟୁରୋ: ନେତାଙ୍କୁ ଘାରିଲା ନକ୍ସଲ ଚିନ୍ତା । ଏସଓପି ପାଳନ ପାଇଁ ନେତାଙ୍କୁ ପୋଲିସର ଚିଠି । ଆନ୍ଧ୍ରପରେ ଓଡ଼ିଶା ସୀମାରେ ହାଇଆଲର୍ଟ । କମ୍ବିଂ ଅପରେସନକୁ କଡ଼ାକଡ଼ି କରିବା ସହ ପ୍ରତ୍ୟେକ ଯାନବାହାନକୁ ଯାଂଚ କରାଯାଉଛି । ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ ନେତାଙ୍କ ଚିନ୍ତା ଏବେ ବଢିଯାଇଛି । ଗତ କିଛି ଦିନ ତଳେ ବିଧାୟକ ଓ ପୁର୍ବତନ ବିଧାୟକଙ୍କୁ ଯେଉଁଭଳି ଭାବରେ ମାଓବାଦୀ ହତ୍ୟା କଲେ ତାକୁ ନେଇ ମାଓ ଅଚଂଳ କୁହାଯାଉଥିବା କୋରାପୁଟ ଜିଲ୍ଳାରେ ନେତାଙ୍କ ମନରେ ଛନକା ପଶିଛି । ମାଓବାଦୀଙ୍କ ଟାର୍ଗେଟରେ ଥିବା ନେତାମାନଙ୍କ ମୁହଁରୁ ରଙ୍ଗ ଉଡ଼ି ଗଲାଣି । କୋରାପୁଟ ଜିଲ୍ଳାର ୫ ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ପ୍ରତି ଦିନ ସବୁ ଅଚଂଳକୁ ସବୁ ନେତାଙ୍କର ଯାତାୟାତ ରହିଛି । ଯାହାକି ମାଓବାଦୀଙ୍କ ଆଡ୍ଡାସ୍ଥଳି ଭାବେ ବେଶ ଜଣାଶୁଣା ।

ଛତିଶଗଡ଼ ଠାରୁ ମାଲକାନଗିରି , କୋରାପୁଟ ଜିଲ୍ଳା ହୋଇ ଆନ୍ଧ୍ର ସୀମାରେ ରହିଛି ମାଓବାଦୀଙ୍କ କରିଡ଼ର । ଯାହାକି ଘଞ୍ଚ ଜଙ୍ଗଲ ରହିଥିବାରୁ ଏହାକୁ ମାଓବାଦୀ ମାନେ ନିଜର ନିରାପଦ ରାସ୍ତା ବାଛିଛନ୍ତି । ସେଠାରେ ପୋଲିସ ମଧ୍ୟ ପହଚିଂବା କଷ୍ଟକର ହୋଇପଡ଼ୁଛି । କୋରାପୁଟ ଜିଲ୍ଳାର ନାରାୟଣପାଟଣା, ବନ୍ଧୁଗାଁ, ନନ୍ଦପୁର, ବୈପାରିଗୁଡ଼ା, ଲମତାପୁଟ, ବ୍ଳକ ରହିଛି ଯାହାକି ମାଓବାଦୀ ମାନଙ୍କ ଚଳପ୍ରଚଳ ପ୍ରତିଦିନ ଏଠାରେ ଦେଖିବାକୁ ମିଳେ । ପୂର୍ବରୁ ମଧ୍ୟ ବର୍ତମାନର କୋରାପୁଟ ସାଂସଦ, ଝିହ୍ନ ହିକ୍କକା ଲକ୍ଷ୍ମୀପୁର ବିଧାୟକ ରହିଥିବା ସମୟରେ ମାଓବାଦୀ ମାନେ ଅପହରଣ କରିଥି ନେଇଥିଲେ । ପରେ ସର୍ତ୍ତ ପାଳନ କରିବାକୁ ପ୍ରତିଶୃତି ଦେବାରୁ ଛାଡ଼ିଥିଲେ । ବର୍ତ୍ତମାନ ସେ ପୋଲିସ ଛାଉଣୀରେ ରହୁଛନ୍ତି । ଏହାସହ ବର୍ତମାନର ବିଜେଡ଼ି ଜିଲ୍ଳା ସଭାପତି ରାଶେଶ୍ୱରୀ ପାଣିଗ୍ରାହିଙ୍କୁ ମଧ୍ୟ ମାଓବାଦୀ ମାନେ ଧମକ ଦେଇଥିଲେ । ଅନେକ ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ଇତି ମଧ୍ୟରେ ମାଓବାଦୀ ମାନେ ଡ଼ାକି ପ୍ରଜା କୋର୍ଟରେ ଦଣ୍ଡ ଦେଇଛନ୍ତି । ଆନ୍ଧ୍ରରେ ଘଟିଥିବା ଘଟଣାକୁ ଦେଖି କୋରାପୁଟରେ ପୋଲିସ ତରଫରୁ ହାଇଆଲର୍ଟ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ୍ ।

ସେପଟେ ମାଓବାଦୀଙ୍କ ବର୍ବରକାଣ୍ଡକୁ ନେଇ ଜୟପୁର ବିଧାୟକ ତାରାବାହୀନି ପତି କହିଛନ୍ତି ଯେ, ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଯିଏ ଦୁର୍ନୀତି କାରବାର କରୁଥିବ, ଲୋକଙ୍କ ସେବା କରୁ ନଥିବ ସେମାନଙ୍କୁ ମାଓବାଦୀଙ୍କ ଭୟ । ମାଓବାଦୀ ମାନେ ବିଭିନ୍ନ ଦିଗକୁ ଦେଖି ହତ୍ୟା କରିବା ଷଢ଼ଯନ୍ତ୍ର କରନ୍ତି, ମୁଁ ଦୁର୍ନୀତି କରୁନାହିଁ । ଯେଉଁମାନେ ଦଳିତ ଖଟିଖିଆଙ୍କ ପାଇଁ କାମ କରନ୍ତି ସେମାନଙ୍କୁ ମାଓବାଦୀ ସହଯୋଗ କରନ୍ତି ବୋଲି କହିଥିବା ବେଳେ ପୁର୍ବତନ ଏମପି ଜୟରାମ ପାଙ୍ଗୀ କହିଛନ୍ତି ଜଣେ ଜନ ପ୍ରତିନିଧିକୁ ମାରିବା ଠିକ ନୁହେଁ, ସେମାନଙ୍କୁ କହିପାରିଥାନ୍ତେ କିଭଳି ଲୋକଙ୍କ କାମ କରିବା କଥା, ଉପଦେଶ ଦେଇପାରିଥାନ୍ତେ କିନ୍ତୁ ମାରିବା ଠିକ ନୁହେଁ ବୋଲି କହିଛନ୍ତି ପାଙ୍ଗୀ ।