ଆଉ ଦିନକ ପରେ ୧୯ ଯୁଦ୍ଧର ହେବ ମହାନିର୍ଣ୍ଣୟ । ଏକଜିଟ୍ ପୋଲର ରିପୋର୍ଟ ପରେ ଦ୍ୱନ୍ଦ୍ୱରେ ନେତା, କେତେ ସତ ହେବ ବୁଥ୍ ବାହୁଡା ମତ ?

107

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରିଛି ଆଉ ଏକଜିଟ୍ ପୋଲର ରିପୋର୍ଟ ମଧ୍ୟ ଆସିସାରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ସାରା ଭାରତବାସୀ । ୨୦୧୯ ନିର୍ବାଚନ ପାଇଁ ଫଳାଫଳ ଆସିବ ଆଉ ସ୍ପଷ୍ଟ ହୋଇଯିବ, ଦେଶରେ କିଏ ଗଢିବ ସରକାର । ଆଉ ଏପଟେ ଫଳାଫଳାର ସମୟ ଯେତିକି ଆଗେଇ ଚାଲିଛି, ନେତାଙ୍କ ହୃତସ୍ପନ୍ଦନ ସେତିକି ବଢିବାରେ ଲାଗିଛି । ଅନ୍ୟପଟେ ଏକଜିଟ୍ ପୋଲ୍ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ନେତା ।

ଗତ ୫ଟି ନିର୍ବାଚନକୁ ଦେଖିଲେ ଜଣାପଡୁଛି, ୩ଥର ଏକଜିଟ୍ ପୋଲ ଆକଳନ ଭୁଲ ହୋଇଛି ଏବଂ ୨ଥର ଠିକ ରହିଛି । ଏପରିକି ନିକଟ ଅତୀତରେ ଆନ୍ଧ୍ର, ଛତିଶଗଡ, ଉତ୍ତର ପ୍ରଦେଶ, ବିହାର, ତାମିଲନାଡୁ, ଦିଲ୍ଲୀ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଏକଜିଟ୍ ପୋଲ ଆକଳନ ଭୁଲ ସାବ୍ୟସ୍ତ ହୋଇଛି । ତେଣୁ ବିଜେପି ବିରୋଧୀ ଚଳିତଥର ଏକଜିଟ୍ ପୋଲ ସର୍ଭେକୁ ଗ୍ରହଣ କରିପାରୁ ନାହାନ୍ତି । ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୨ଟି ବିରୋଧୀ ଦଳ ଏକାଠି ହୋଇ ପରବର୍ତୀ ରଣନୀତି ସ୍ଥିର କରୁଛନ୍ତି । ମେ ୨୩ରେ ଏମାନେ ଏକାଠି ହୋଇ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କୁ ଦାବି ଜଣାଇବାକୁ ଯୋଜନା କରୁଛନ୍ତି ।

ଯଦି ଏକଜିଟ୍ ପୋଲର ଆକଳନ ଭୁଲ ପ୍ରମାଣିତ ହୁଏ ଏବଂ ବିଜେପି କରୁଥିବା ଦମ୍ଭୋକ୍ତି ଫସର ଫାଟି ଯାଏ, ତେବେ ବଲ୍ ଏନଡିଏ କୋଟରୁ ଖସିଯାଇ ବିରୋଧୀଙ୍କ ଶକ୍ତିଙ୍କ କୋଟକୁ ଚାଲିଯିବା ସ୍ୱାଭାବିକ୍ । ଆଉ ଯଦି ଏଭଳି କିଛି ହୁଏ, ରାଜନୀତିର ଏହି ଖେଳରେ କିଏ ହେବ ହେବ କିଙ୍ଗ ମେକର? କେନ୍ଦ୍ରରେ ସରକାର ଗଠନରେ କେଉଁ ସବୁ ଦଳ ଏବଂ ନେତା ଏକ ନୂଆ ସଂଭାବନା ହୋଇ ସାମ୍ନାକୁ ଆସିବେ? ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।