ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି ! ଚାଲିଛି ଦଳ ଡିଆଁ ଅଭିଯାନ, କିଏ ଛାଡୁଛନ୍ତି, କିଏ ମିଶୁଛନ୍ତି ?

255

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ସରଗରମ ହୋଇଛି ରାଜ୍ୟ ରାଜନୀତି  । କିଏ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଘଡିକେ ଘୋଡା ଛୁଟୁଛି  । ଆଉ ଏହାରି ଭିତରେ ନେତାମାନେ ଶେଷ ମୁହୁର୍ତରେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କିଏ କେଉଁ ଦଳ ଛାଡୁଛନ୍ତି ଓ କେଉଁ ଦଳରେ କିଏ ସାମିଲ ହେଉଛନ୍ତି ତାକୁ ନେଇ ବଢ଼ିବାରେ ଲାଗିଛି ଉତ୍କଣ୍ଠା ।

କିଏ ଛାଡୁଛନ୍ତି, କିଏ ମିଶୁଛନ୍ତି ? ବିଜେପି କ୍ୟାମ୍ପରେ କିଏ, ବିଜେଡି କ୍ୟାମ୍ପରେ କିଏ ? ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି ନେତାଙ୍କ ଦଳ ଅଦଳବଦଳ ସେତିକି ବଢ଼ିବାରେ ଲାଗିଛି । କିଏ ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିବାକୁ ଯାଉଛନ୍ତି ତ ଆଉ କିଏ ବିଜେପି ଛାଡି ବିଜେଡି ଶିବିରକୁ ଫେରୁଥିବା ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାରେ ଆଗରେ ରହିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ଦିନେ ଦୁଇ ଦିନ ଭିତରେ ସେ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବଂ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।

ନିକଟରେ ପ୍ରକାଶ ସାଲେପୁରରେ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ । ବିନା ଦଳୀୟ ବ୍ୟାନରରେ ପଦଯାତ୍ରା କରି ତାଙ୍କ ସମର୍ଥକଙ୍କୁ ଏକାଠି କରିଥିଲେ ପ୍ରକାଶ । ବିଜେଡିରେ ପ୍ରକାଶ ଯୋଗଦେବାକୁ ଚାହୁଁଥିଲେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସାଲେପୁରରୁ ପ୍ରଶାନ୍ତ ବେହେରା ପ୍ରାର୍ଥୀ ହେବା ଜଣାପଡିବା ପରେ ପ୍ରକାଶଙ୍କ ଆଶାରେ ପୂର୍ଣ୍ଣଛେଦ ପଡିଥିବା କୁହାଯାଉଛି ।

ସେହିପରି ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁୁର ବିଧାୟକ ବଳଭଦ୍ର ମାଝୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୁରୁବାର ବଳଭଦ୍ର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାବେଳେ ଶୁକ୍ରବାର ଇସ୍ତଫା ଦେଇଛନ୍ତି ସୁକାନ୍ତ ।  ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଉଭୟ ବିଜୁ ଜନତା ଦଳ ଛାଡିଥିବା କହିଛନ୍ତି ।

ସେପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ପୁଣି ଥରେ ବିଜେପିକୁ ଫେରିପାରନ୍ତି । ବିଜୟ ବିଜେପିକୁ ଫେରିବା ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ବୟାନ । ଅନ୍ୟପଟେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପୁଣି ଥରେ ଧରି ପାରନ୍ତି ଶଂଖ । ବିଜେଡିରେ ଯୋଗ ଦେଇପାରନ୍ତି ଦିଲ୍ଳୀପ । ଏଭଳି ସମ୍ଭାବନା ଏବେ ରାଜନୀତିର ମାହୋଲକୁ ଗରମ କରିଛି । ଦିନେ ଦୁଇ ଦିନ ଭିତରେ ସ୍ପଷ୍ଟ ହୋଇପାରେ ଚିତ୍ର । ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ କରି ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ । ଦୀର୍ଘଦିନ ହେବ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ନିର୍ବାଚନ ପୂୂର୍ବରୁ ନେତାଙ୍କ ଏହି ଦଳ ବଦଳ ରାଜ୍ୟ ରାଜନୀତିକୁ ବେଶ୍ ସରଗରମ କରିଛି । ତେବେ ଏମାନଙ୍କ ଦଳ ବଦଳ ନିର୍ବାଚନ ଉପରେ କେତେ ପ୍ରଭାବ ପକାଇବ ତାହା ସମୟ କହିବ ।