ତୀବ୍ର ହେଲା ଆୟାରାମ ଗୟାରାମ ରାଜନୀତି ! ଟିକେଟ୍ କଟିବା ପରେ ବାଡ଼ ଡେଇଁଲେ ହେଭିୱେଟ୍ ବିଜେଡି ନେତା, ଅସନ୍ତୁଷ୍ଟଙ୍କୁ ଆପଣାଇ ନେଲା ବିଜେପି ।

398

କନକ ବ୍ୟୁରୋ : ତୀବ୍ର ହେଉଛି ଆୟାରାମ ଗୟାରାମ ରାଜନୀତି । ଆଜି ଦିନ ତମାମ ଦେଖିବାକୁ ମିଳିଛି ନେତାଙ୍କ ଦଳ ଡିଆଁ ପର୍ବ । ଯେଉଁ ନେତା ବିଜେଡି ଟିକେଟ୍ ନମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ, ସେମାନେ ଡେଇଁଛନ୍ତି ବିଜେପି ଶିବିରକୁ । ଆଜି ମିଶ୍ରଣ ପର୍ବକୁ ନେଇ ଚଳଚଂଚଳ ହୋଇ ଉଠିଥିଲା ରାଜ୍ୟ ବିଜେପି କାର୍ଯ୍ୟାଳୟ । ତିନି ତିନି ଜଣ ବିଧାୟକ, ଜଣେ ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ହୋଇଛନ୍ତି ବିଜେପିରେ । ସେପଟେ ଦଳୀୟ ଟିକେଟ୍ ନପାଇବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ତେବେ ପ୍ରତ୍ୟୁଷା କଂଗ୍ରେସ ମୁହାଁ ହେଉଥିବା ଜଣାପଡିଛି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବକୁ ବୋଧହୁଏ ଦଳ ଅପେକ୍ଷା କରି ରହିଥିଲା । ଆଉ ବୋଧହୁଏ ସେଇଥିପାଇଁ ଦଳୀୟ ଟିକେଟ୍ ତାଲିକା ଘୋଷଣା ଘୁଂଚି ଘୁଂଚି ଯାଉଥିଲା । ଆଉ ଏହି ମିଶ୍ରଣରେ କୌଣସି ସାଧାରଣ ନେତା ନଥିଲେ, ବଂର ଥିଲେ ତିନି ତିନି ଜଣ ବିଧାୟକ, ଜଣେ ପୂର୍ବତନ ସାଂସଦ ଓ ବିଧାୟକ । ଆଜି ଦଳ ବଳ ଧରି ବିଜେପିରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ । ସେପଟେ ଆସିକା ବିଧାୟକ ଦେବରାଜ ମହାନ୍ତି ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ସେହିପରି ବିଜେଡି ଛାଡିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ଶିବିରରେ ମିଶିଛନ୍ତି । ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଟିକେଟ୍ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଇ ଧରିଛନ୍ତି ପଦ୍ମ । ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ମଧ୍ୟ ପଦ୍ମ ଦଳରେ ସାମିଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଆସନରୁ ଦଳୀୟ ଟିକେଟ୍ ନପାଇବାରୁ ବିଜେଡି ଛାଡ଼ିଥିବା କୁସୁମ ଟେଟେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ସେପଟେ ବିଜେଡି ଛାଡିଲେ ପ୍ରତ୍ୟୁଷା ରାଜେଶ୍ୱରୀ । କଂଗ୍ରେସ ମୁହାଁ ହେଲେ କନ୍ଧମାଳ ସାଂସଦ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ପଠାଇଛନ୍ତି ଇସ୍ତଫା ପତ୍ର । ଦଳୀୟ ଟିକେଟ୍ ନମିଳିବାରୁ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡି ଛାଡ଼ିଛନ୍ତି ପ୍ରତ୍ୟୁଷା । ଇସ୍ତଫା ପତ୍ରରେ ବିଜେଡିର ୨ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଓ ଅରୁଣ ସାହୁଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି କନ୍ଧମାଳ ସାଂସଦ । ବିଭିନ୍ନ ମାମଲାରେ ଛନ୍ଦି ତାଙ୍କୁ ୪ ବର୍ଷ ହେବ ହଇରାଣ କରାଯାଇଛି ।

ଏନେଇ ବାରମ୍ବାର ପାର୍ଟି ଫୋରମରେ ଜଣାଇଥିଲେ ବି କେହି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତି ଅନାଭରଣକୁ କିପରି ରୋକାଯାଇଛି, ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରତ୍ୟୁଷା । ବିଜେଡି ଛାଡିବା ପରେ କଂଗ୍ରେସ ଶିବିର ଆଡକୁ ମୁହାଁଇଛନ୍ତି କନ୍ଧମାଳ ସାଂସଦ । ସେହିପରି କଂଗ୍ରେସରେ ସାମିଲ ହୋଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ଢ଼େଙ୍କାନାଳ ବିକାଶ ପାଇଁ ସେ ଏପରି ନିଷ୍ପତି ନେଇଥିବା କହିଛନ୍ତି । ତେବେ ନେତା ଦଳ ଛାଡିବା ଓ ଅନ୍ୟ ଦଳରେ ଯୋଗ ଦେବା ପରେ ପୂରା ସରଗରମ ହୋଇଛି ଆୟାରାମ ଗୟାରାମ ରାଜନୀତି ।