ଭୁବନେଶ୍ୱରରେ ଜମୁଛି ପ୍ରଚାର: ଭିଜିଲେ ଅପରାଜିତା, ରୋଗୀଙ୍କୁ ଭେଟିଲେ ମନ୍ମଥ

201

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ । ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ଜୋରଦାର ହେଉଛି ନେତାଙ୍କ ପ୍ରଚାର । ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି ନେତା । ଜନସମ୍ପର୍କ ବଢ଼ାଇବା ପାଇଁ ଲୋକଙ୍କ ନିକଟକୁ ଯାଇ କଥାବାର୍ତା ହେବା ସହ ପ୍ରଚାର କରୁଛନ୍ତି ପ୍ରାର୍ଥୀ ।

ଧିରେ ଧିରେ ଜମୁଛି ପ୍ରଚାର । ଲୋକଙ୍କ ନିକଟତର ହେବାକୁ ନେତା ଚଳାଇଛନ୍ତି ପ୍ରୟାସ । ଭୁବନେଶ୍ୱରେ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ଅପରାଜିତା ଷଡଙ୍ଗୀ ଓ ମନ୍ମଥ ରାଉତରାୟ । ପ୍ରବଳ ବର୍ଷା ସତ୍ୱେ ଜଟଣୀରେ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନାଙ୍କୁ ସାଥିରେ ନେଇ ପ୍ରଚାର କରିଛନ୍ତି ଅପରାଜିତା । ଜଟଣୀବ୍ଲକ ଛକଠାରୁ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିବାବେଳେ ହୋଇଥିଲା ବର୍ଷା । ଆଉ ଏହାକୁ ଖାତିର ନକରି ପ୍ରଚାର କରିଥିଲେ ଅପରାଜିତା । ସେହିଭଳି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ବି କ୍ୟାପିଟାଲ ହସପିଟାଲରେ ପଂହଚି ରୋଗୀ ଓ ସମ୍ପର୍କୀୟଙ୍କ ସହ ଭେଟି ଆଲୋଚନା କରିଛନ୍ତି ମନ୍ମଥ । ଆଉ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ।

ପାର୍କରେ ବୁଲିଲେ ପ୍ରିୟଦର୍ଶୀ
ଲୋକଙ୍କୁ ଭେଟିଲେ, ଆଲୋଚନା କଲେ
ଭୁବନେଶ୍ୱର-ଉତରରୁ ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶୀ ମିଶ୍ର ବି ପ୍ରଚାରକୁ ଜୋରଦାର କରିଛନ୍ତି । ଏଠାରୁ ସେ ବିଜେପି ପ୍ରାର୍ଥୀ ହୋଇଛନ୍ତି । ନିକଟରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପ୍ରିୟଦର୍ଶୀ ମିଶ୍ର ସକାଳୁ ସକାଳୁ ବୁଦ୍ଧ ପାର୍କ ଯାଇ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଜଗତସିଂହପୁରରେ ବିଜେଡିର ପ୍ରଚାର
ରୋଡ ଶୋ କଲେ ରମାକାନ୍ତ ଓ ରାଜଶ୍ରୀ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମିଳିତ ଭାବେ ପ୍ରଚାର ଆରମ୍ଭ କରିଛନ୍ତି । ବିରିଡିରେ ରୋଡ ଶୋ କରିଥିଲେ ରମାକାନ୍ତ ଓ ରାଜଶ୍ରୀ । ରାଜଶ୍ରୀ ଦ୍ୱିତୀୟ ଥର ଟିକେଟ ପାଇଥିବାବେଳେ ରମାକାନ୍ତ ଭୋଇ ପ୍ରଥମ ଥର ଲାଗି ବିଜେଡି ଟିକେଟ ପାଇଛନ୍ତି ।