ଟିକେଟ ପାଇଁ ଚାଲିଛି ନେତାଙ୍କ ଲବି: ରାଜଧାନୀ ମୁହାଁ ହେଉଛନ୍ତି ତିନି ପ୍ରମୁଖ ଦଳର ନେତା

169

କନକ ବ୍ୟୁରୋ: ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଆଉ ଟିକେଟ ପାଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ନେତା ରାଜଧାନୀ ମୁହାଁ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ପଂହଚି ଟିକେଟ ପାଇଁ ଲବି କରୁଛନ୍ତି । ବଡ ନେତାଙ୍କୁ ବି ଭେଟୁଛନ୍ତି । ତେବେ ଏଥର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାର୍ଥୀ ଘୋଷଣା ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢୁଛି ।

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜଧାନୀ ମୁହାଁ ପ୍ରମୁଖ ତିନି ଦଳର ନେତା । ବିଜେଡି ନେତାମାନେ ହାତରେ ବାୟୋଡାଟା ଧରି ନବୀନ ନିବାସରେ ପହଁଚି ଟିକେଟ ଲବି ଚଳାଇଛନ୍ତି । ନିଜ ନିଜ ସମର୍ଥକଙ୍କୁ ଧରି ଶୀର୍ଷ ନେତୃତ୍ୱଙ୍କ ସାମନାରେ ଲୋକପ୍ରିୟତା ଦେଖାଇବାକୁ ଉଦ୍ୟମ କରୁଛନ୍ତି । ବିଜେପି ନେତାମାନେ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ପହଁଚି ଟିକେଟ ପାଇଁ ଲବି ଚଳାଇଛନ୍ତି । ରାଜ୍ୟ ସଭାପତିଙ୍କ ସମେତ ତୁଙ୍ଗ ନେତାମାନଙ୍କୁ ଭେଟୁଛନ୍ତି । କଂଗ୍ରେସ ଟିକେଟ ଆଶାୟୀ ବି ନିଜ ନିଜ ଢ଼ଂଗରେ ଲବି ଚଳାଇଛନ୍ତି । ପ୍ରଗମନ ଆପରେ ଆବେଦନ କରିଥିଲେ ବି ଚୂଡାନ୍ତ ତାଲିକାରେ ସ୍ଥାନ ପାଇବା ପାଇଁ ଶୀର୍ଷ ନେତୃତ୍ୱଙ୍କୁ ଭେଟୁଛନ୍ତି ।

ଏପିରିକି ବିଭିନ୍ନ ଅଂଚଳରୁ ଆସୁଥିବା ନେତାମାନେ, ବଭିନ୍ନ ହୋଟେଲରେ ଡେରା ପକାଇଥିବା ସୂଚନା ମିଳିଛି । କାହାକୁ ଟିକେଟ ଦିଆଯିବ? ସେଥିପାଇଁ ରାଜନୈତିକ ଦଳ ମାନେ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଲୋକପ୍ରିୟତା ମୁଖ୍ୟ ମାପଦଣ୍ଡ ବୋଲି କୁହାଯାଉଛି । ତଥାପି ଏଥର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ, ଲୋକପ୍ରିୟତା ସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନଜରରେ ରଖି ଦଳ ପ୍ରାର୍ଥୀ ଚୟନ କରିପାରନ୍ତି ବୋଲି କୁହାଯାଉଛି ।

ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳର ନେତା ରାଜଧାନୀ ମୁହାଁ ହୋଇଥାନ୍ତି । ଯାହାକି ଚଳିତ ବର୍ଷ ପୁଣି ଥରେ ଦେଖିବାକୁ ମିଳିଛି ।