ଦିନରେ ପ୍ରବଳ ଖରା ଯୋଗୁଁ  ପ୍ରଚାର ମାନ୍ଦା । ଖରା କମିଲେ ପ୍ରଚାରକୁ ଓହ୍ଲାଉଛନ୍ତି ନେତା ଓ କର୍ମୀ । ଗାଁରେ ବି ଦେଖିବାକୁ ମିଳୁଛି ସମାନ ଚିତ୍ର ।

75

କନକ ବ୍ୟୁରୋ: ତାତି କମିଲେ ପ୍ରଚାର ଜମୁଛି । ଦିନରେ ପ୍ରବଳ ଖରା ଯୋଗୁଁ ନିର୍ବାଚନୀ ପ୍ରଚାରରେ ସମାନ୍ୟ ପ୍ରଭାବିତ ହେଉଥିବା ବେଳେ ସନ୍ଧ୍ୟାକୁ ଅପେକ୍ଷା କରି ରହୁଛନ୍ତି ପ୍ରାର୍ଥୀ । ଆଉ ଖରା ଟଳିଗଲେ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ ପ୍ରଚାରକୁ ବାହାରି ଯାଉଛନ୍ତି । ଟାଣ ଖରାକୁ ଯେମିତି ପ୍ରାର୍ଥୀ ଓ ସମର୍ଥକଙ୍କୁ ଅଡ଼ୁଆ ସ୍ଥିତିରେ ପକାଇ ଦେଉଛି ।

ଟାଇଁ ଟାଇଁ ଖରା । ପ୍ରବଳ ଖରାରେ ବି ଚାଲିଛି ପ୍ରଚାର । ସମର୍ଥକ ଓ କର୍ମୀଙ୍କୁ ନେଇ ଗାଁକୁ ଗାଁ ବୁଲି ବୁଲି ପ୍ରଚାର କରୁଛନ୍ତି । ଆଉ ଏହି ପ୍ରଚାର ମାହୋଲ ଭିତରେ ମୈଦାନକୁ ଓହ୍ଲାଇଥିଲେ ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ । ସାଥୀରେ ଥିଲେ ପିପିଲି ବିଧାନସଭା ପ୍ରାର୍ଥୀ ରୁଦ୍ର ମହାରଥୀ । ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବଜାରରେ ପ୍ରଚାର କରୁଥିବା ବେଳେ ଅଚାନକ୍ ଅସୁସ୍ଥ ହୋଇପଡ଼ିଥିଲେ ଅରୁପ ପଟ୍ଟନାୟକ । ତୁରନ୍ତ ତାଙ୍କର ଚିକିତ୍ସା କରାଯିବାରୁ ସୁସ୍ଥ ହୋଇଥିଲେ । ପରବର୍ତୀ ସମୟରେ ଗ୍ରୀଷ୍ମପ୍ରବାହକୁ ଧ୍ୟାନରେ ରଖି ନେତା କରୁଛନ୍ତି ପ୍ରଚାର ।

ଦିନ ପ୍ରବଳ ଖରା ଯୋଗୁଁ ଏବେ ସନ୍ଧ୍ୟାକୁ ଅପେକ୍ଷା କରି ରହୁଛନ୍ତି ପ୍ରାର୍ଥୀ । ସନ୍ଧ୍ୟା ସମୟରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ମିଶି ପ୍ରଚାର କରିଛନ୍ତି ଅପରାଜିତା । ନୟାପଲ୍ଲୀ ମମତାଜ ଅଲ୍ୀ ହାଇସ୍କୁଲ ଠାରୁ ଏକ ପଦଯାତ୍ରା ଆରମ୍ଭ ହୋଇ ଦେବରାୟ କଲେଜ ପର୍ଯ୍ୟନ୍ତ ଯାଇଥିଲା ।

କେବଳ ସହରାଂଚଳ ନୁହେଁ ଗ୍ରାମାଂଚଳରେ ମଧ୍ୟ ନିର୍ବାଚନ ପ୍ରଚାରକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ସଚେତନତା ବଢ଼ିଛି । ପ୍ରାର୍ଥୀ ମାନେ ଦିନର ଖରାରେ ପ୍ରଚାର କରିବା ବଦଳରେ ନିର୍ବାଚନୀ ପ୍ରଚାର ପାଇଁ ସନ୍ଧ୍ୟ ସମୟକୁ ଅପେକ୍ଷା କରି ରହୁଛନ୍ତି । ଖରା କମିଗଲା ପରେ ସମର୍ଥକଙ୍କ ଗହଣରେ ଲୋକଙ୍କ ପାଖକୁୁ ଯାଉଛନ୍ତି ।