ଡାକ୍ତରଙ୍କୁ ମାଡ ମାରିଲେ ନେତା । ରାୟଗଡା ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ।

577

କନକ ବ୍ୟୁରୋ: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ । ବିଏସ୍ପି ନେତା ଜିତୁଜା କେସିକାଙ୍କ ସହ ହାତାହାତି ମରା ଭିଡିଓ ଭାଇରାଲ । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ତଦନ୍ତ କରୁଛି । ରାୟଗଡା ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମରା ଭିଡିଓ ଭାଇରାଲ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମୁନିଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ଶକଟା ଗାଁରେ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର । ଗତକାଲି ସେଠାରେ କାୟାକଳ୍ପ ଟିମ ପରିଦର୍ଶନ କାର୍ଯ୍ୟକ୍ରମ ଥିବା ବେଳେ ବିଏସପି ନେତା ନିଜ ସମର୍ଥକଙ୍କ ସହ ପହଞ୍ଚିିଥିଲେ । ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଥିଲେ । ଉପସ୍ଥିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଛାଡ଼ି ନଥିଲେ । ଖବର ପାଇ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସବ୍ୟସାଚୀ ମହାପାତ୍ର ସେଠାରେ ପହଞ୍ଚିିଥିଲେ । ବିଏସପି ନେତା ଜିତୁଜା କେସିକାଙ୍କ ସହ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଥାନୀୟ ରାଜନେତା ଜଣଙ୍କ ଡାକ୍ତରଙ୍କୁ ମାଡ ମାରିବା ସହ ଡାକ୍ତର ଓ ଡାକ୍ତରଖାନାର କର୍ମଚାରୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।

ବିଷମକଟକ ଏସଡିପିଓ ଓ ମୁନିଗୁଡା ଥାନାରୁ ପୋଲିସ ପହଞ୍ଚିି ବୁଝାସୁଝା କରିବା ପରେ ଡାକ୍ତର ଓ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଉଭୟ ପକ୍ଷରୁ ମୁନିଗୁଡା ଥାନାରେ ଏତଲା ଦିଆଯାଇଛି । ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନଥିବା ବେଳେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ବିଏସପି ତରଫରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।