ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି

97

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ନେଇ ଚାଲିଥିବା ଚର୍ଚ୍ଚା ଭିତରେ, ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ କାମ ସରିଛି । ଏଏସଆଇ’ର ୧୬ଜଣିଆ ଟିମ୍ ତିନି ଦିନ ଧରି ତର୍ଜମା କରିଛନ୍ତି । ଏଥିରେ ୪୫ଟି ପଏଂଟ’ର ଫଟୋଗ୍ରାଫି କରାଯାଇଛି । ଯାହାର, ଡକ୍ୟୁମେଣ୍ଟେସନ ଆରମ୍ଭ ହୋଇଛି । ତଥ୍ୟ ହସ୍ତଗତ ହେବା ପରେ ଫଟୋଗୁଡ଼ିକର ତର୍ଜମା ହେବ । ଆଉ ଫାଟ ଚିହ୍ନଟ ହେଲେ, ଫାଟର ଡ୍ରଇଂ କରାଯିବ । ଫାଟର ସ୍ଥିତି ଦେଖି ମରାମତି କରାଯିବ । ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବା ପରେ ପାଶ୍ୱର୍ଦେବାଦେବୀ ମନ୍ଦିରରେ ଲେଜର ସ୍କାନିଂ କରାଯିବ । ସେହିପରି ବାହାର ପାଶ୍ୱର୍ ରିପୋର୍ଟ ଦେଖି, ଭିତର ରତ୍ନଭଣ୍ଡାର ଯାଂଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯିବ ।

ଲେଜର ସ୍କାନିଂ ସର୍ମ୍ପକରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ଏଏସଆଇ । ତେବେ ସଂଗୃହିତ ତଥ୍ୟର ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଓ ଯାଂଚର ଆବଶ୍ୟକ ଅଛି କି ନାହିଁ, ସେ ନେଇ ଆକଳନ କରିହେବ ନାହିଁ । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏପଟେ ଯାତ୍ରୀ ପରିକ୍ରମା ମାର୍ଗ ଅନ୍ତର୍ଗତ ୪ଟି ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରାଯାଇଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ ୪ଟି ମଠର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମେଘାନଦ ପାଚେରୀଠାରୁ ଶହେ ମିଟର ମଧ୍ୟରେ ଥିବା ୪ଟି ମଠ, ବଡ଼ଛତା ମଠ, ଛାଉଣୀ ମଠ, ଉତ୍ତରପାଶ୍ୱର୍ ମଠ ଓ କାକୁଡ଼ିଖାଇ ମନ୍ଦିରର ପୁନରୁଦ୍ଧାର କାମର ଅନୁଧ୍ୟାନ କରିଛନ୍ତି । ଏଥିରେ, ଏନଏମ୍ଏ ବା’ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି’ର ନିର୍ଦ୍ଦେଶକୁ ଅନୁପାଳନ କରାଯାଇଛି ।

ତେବେ ଏସବୁ ଭିତରେ ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ପୁଣି ଥରେ ଜୋରଧରିଛି, ଯେତେବେଳେ ରତ୍ନଭଣ୍ଡାର ଲେଜର ସ୍କାନିଂ ସରିଛି । ତେବେ ଆଗକୁ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ ନା’ ନାହିଁ? ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ନା’ ନାହିଁ? ତା ଉପରେ ସମସ୍ତଙ୍କ ନଜର ରହିଛି ।