ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପଟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟାର ଯାଞ୍ଚ କରିବ ଏଏସଆଇ ।

82

କନକ ବ୍ୟୁରୋ: ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ମନ୍ଦିର ପ୍ରଶାସନ ଏଥିପାଇଁ ଏଏସଆଇକୁ ଅନୁମତି ପ୍ରଦାନ କରିଛି । ଲେଜର ସ୍କାନିଂ ଜରିଆରେ ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥ ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି ।

ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ଏଏସଆଇର ରିପୋର୍ଟ ଆଧାରରେ ରତ୍ନଭଣ୍ଡାରକୁ ନେଇ ପରବର୍ତି ନିଷ୍ପତି ନିଆଯିବ । ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ସମସ୍ତ ପ୍ରକାର ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଲେଜର ସ୍କାନର ଏକ ଛୋଟିଆ କ୍ୟାମେରା ସଦୃଶ
– ଗୋଟିଏ ସ୍ଥାନରେ ରହି ୩୬୦ ଡିଗ୍ରୀ ବୁଲି ସ୍କାନିଂ କରିପାରିବ
– ଏହାକୁ ଏକ ଟ୍ରାଇପଡ ଉପରେ ରଖି ଫଟୋ ଉଠାଯିବ
– ମନ୍ଦିରର ବିଭିନ୍ନ ସ୍ଥାନରେ ରଖି ସ୍କାନିଂ ଉଠାଯିବ
– ଯେଉଁ ଫଟୋ ଉଠିବ ତାହା ଥ୍ରୀଡି ରହିବ
– କ୍ୟାମେରାରରୁ ନିର୍ଗତ ଲେଜର ବିମଗୁଡିକ କାନ୍ଥର ସୂକ୍ଷ୍ମ ଛିଦ୍ର ଦେଇ ଅତିକ୍ରମ କରିବ
– ଫଟୋ ଗୁଡିକୁ କମ୍ପ୍ୟୁଟରରେ ଅପଲୋଡ ହେବ
– ଏକ ସଫ୍ଟୱୟାର ଜରିଆରେ ଅନୁଶୀଳନ ହେବ
– ଶହ ଶହ ବର୍ଷର ପଥର ମୂର୍ତ୍ତିର ସ୍ଥିତି ତର୍ଜମା କରିହେବ
– ଦେଶର ବିଭିନ୍ନ ଐତିହ୍ୟ ସ୍ଥଳରେ ଲେଜର ସ୍କାନିଂ ହୋଇଛି
– ଏହା ଛୋଟିଆ ହୋଇଥିଲେ ମଧ୍ୟ ଦାମ କୋଟିଏରୁ ଅଧିକ