ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲାରେ ହେବ ଲାଏ-ଡିଟେକ୍ସନ୍ ଟେଷ୍ଟ । ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିକାଶ, ପପୁଙ୍କ ସମେତ ୪ଜଣଙ୍କ ବୟାନକୁ ପୁଣିଥରେ ପରୀକ୍ଷା କରିବ କ୍ରାଇମବ୍ରାଂଚ

1,076

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଂଚ ଥଳକୂଳ ପାଉନଥିବା ବେଳେ ଲାଏ ଡିଟେକ୍ସନ୍ ଟେଷ୍ଟ କରିବା ପାଇଁ ମନସ୍ଥ କରିଛି । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ । ଜିଆରପି ପୁଲିସ ପରେ କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଛି ।

ଏପଟେ ପୁଅକୁ ନ୍ୟାୟ ମିଳିନି, ଅନ୍ୟପଟେ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବାରୁ ମର୍ମାହତ ହୋଇ ପଡ଼ିଛନ୍ତି ମୃତ ଆଦିତ୍ୟ ଦାଶଙ୍କ ବାପା-ମାଆ । ଏକ ଭିଡିଓ ବାର୍ତାରେ ସେମାନେ ଅଭିଯୋଗ କରିଛନ୍ତି, ଆଦିତ୍ୟ ଦାଶଙ୍କ ବାପା-ମାଆ ଖାଇବାକୁ ପାଉନାହାନ୍ତି, ବିଜୁଳି ବିଲ୍ ଦେଇ ପାରୁନାହାନ୍ତି ବୋଲି କିଛି ଲୋକ ଅପପ୍ରଚାର ଚଳାଇ ସେମାନଙ୍କୁ ବଦନାମ କରୁଛନ୍ତି ।

ଗୋଟିଏ ପଟେ ଆଦିତ୍ୟ ଦାଶଙ୍କ ପରିବାର ନ୍ୟାୟ ଦାବି କରୁଥିବା ବେଳେ କ୍ରାଇମବ୍ରାଂଚ ହାତରେ କିଛି ଠୋସ୍ ପ୍ରମାଣ ପଡ଼ିନାହିଁ । ଅନ୍ୟପଟେ ଯେଉଁମାନଙ୍କୁ ତଦନ୍ତ ପରିସରକୁ ନିଆଯାଇଛି, ସେମାନେ ବୟାନ ବଦଳାଉଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ଲାଏ ଡିଟେକସନ୍ ଟେଷ୍ଟ ଉପରେ ଭରସା କରିଛି କ୍ରାଇମବ୍ରାଂଚ ।