କନକ ବ୍ୟୁରୋ : ଆର୍ଥିକ ସଂକଟରେ ଥିବା ଲକ୍ଷ୍ମୀବିଳାଶ ବ୍ୟାଙ୍କ ଡେଭଲପ୍ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିମିଟେଡ ସହିତ ମିଶ୍ରଣ ହେବ । ଏନେଇ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟ୍ । ଏହି କ୍ୟାବିନେଟ୍ ରେ ଏଟିସି କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶକୁ ବି ମଞ୍ଜୁରୀ ମିଳିଛି ।ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଏହା ପୂର୍ବରୁ ଲକ୍ଷ୍ମୀବିଳାଶ ବ୍ୟାଙ୍କକୁ ଡେଭଲପ୍ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିମିଟେଡ ସହିତ ମିଶ୍ରଣ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହାସହ କେନ୍ଦ୍ର କ୍ୟାବିନେଟରେ ଏଟିସି ଟେଲିକମ୍ ଇନଫ୍ରା ରେ ୨୪୮୦ କୋଟି ଟଙ୍କାର ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜିନିବେଶକୁ ବି ମଞ୍ଜୁରୀ ମିଳିଛି ।
ଏହା ସହିତ ଶ୍ରୀ ଜାଭଡେକର କହିଛନ୍ତି କି କିଛି ଆର୍ଥିକ ମାମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ବୈଠକ ବସିଥିଲା । ଏଥିରେ ଅନେକ ଆର୍ଥିକ ସମସ୍ୟା ସମାଧାନ ଉପରେ ନିସ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ଅନେକ ଅର୍ଥର ଆବଶ୍ୟକତା ଥିବାରୁ ଖୋଲା ବଜାରରୁ ପୁଞ୍ଜି ଆଦାୟ ପାଇଁ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏନେଇ ଜାତୀୟ ବିନିଯୋଗ ଏବଂ ଭିତ୍ତିଭୂମି ଫଣ୍ଡର ସ୍ଥାପନା କରାଯାଇଛି । ଏନେଇ ଆଜିର ବୈଠକରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି । ଯାହାକି ଆସନ୍ତା ୨ ବର୍ଷ ମଧ୍ୟରେ କରାଯିବ ।