ଲକ୍ଷ୍ମୀପୁର ଲଢେଇରେ କିଏ ମାରିବ ବାଜି? ପରମ୍ପରା ବଜାୟ ରହିବ ନା ଇତିହାସ ବଦଳିବ, ନେତାଙ୍କ ଛାତିରେ ଛନକା ଭରୁଛନ୍ତି ଭୋଟର ।

110

କନକ ବ୍ୟୁରୋ : ଲକ୍ଷ୍ମୀପୁରରେ ହେବ ବଡ ଲଢେଇ । ପରମ୍ପରା ଜାରି ରହିବ ନା ଇତିହାସ ବଦଳିବ ତାହାର ସାକ୍ଷୀ ରହିବ ୨୦୧୯ ନିର୍ବାଚନ । କୋରାପୁଟ ଜିଲ୍ଲାର ଏମିତି ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲକ୍ଷ୍ମୀପୁର ଯେଉଁଠାରେ ପ୍ରତି ନିର୍ବାଚନରେ ଭୋଟରମାନେ ନେତା ବଦଳାଇବାର ପରମ୍ପରା ଚାଲି ଆସିଛି। ଏହି ବିଧାନସଭା କ୍ଷେତ୍ରରେ ଏବେ କଂଗ୍ରେସର ବିଧାୟକ ରହିଛନ୍ତି। ପଞ୍ଚାୟତ ନିର୍ବାଚନରେ ଏଠି ବିଜେଡିର ଆଶାତୀତ ସଫଳତା ଲାଭ କରିଛି। ତେଣୁ ବିଜେଡି ଶିବିର ଉତ୍ସାହିତ ରହିଥିଲାବେଳେ ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ରହିଛି କଂଗ୍ରେସ। କଂଗ୍ରେସରୁ ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେଉଥିଲାବେଳେ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଭାପତି ପ୍ରଭୂ ଜାନୀ ଲଢିବା ପ୍ରାୟ ଚୂଡାନ୍ତ ହୋ‌ଇଛି। ଏପଟେ ସେମାନଙ୍କୁ ବିଜେପି ଓ ବିଏସପି ମଧ୍ୟ ବଳ ଗୋଟାଇ କଡା ମୁକାବିଲା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଲକ୍ଷ୍ମୀପୁର ବ୍ଲକ ସମେତ ବନ୍ଧୁଗାଁ, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ ରହିଛି। ଗତ ବିଧାନସଭା ନିର୍ବାଚନରେ ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢେଇ ହୋଇଥିଲା। କଂଗ୍ରେସ ନେତା କୈଳାସ କୁଲେସିକା ଓ କଂଗ୍ରେସରୁ ବିଜେଡିକୁ ଡେଇଁଥିବା ହେମା ଗମାଙ୍ଗୋ ପରସ୍ପର ବିରୋଧରେ ଲଢିଥିଲେ। କିନ୍ତୁ କୈଳାସ ଏକତରଫା ଭାବେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ।

ବିଜେଡି ଗଠନ ପରଠାରୁ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସ ସହିତ ମୁକାବିଲା କରୁଛି। ଗତ ୨୦୦୯ରେ ଏଠାରୁ ବିଜେଡିର ଝିନ୍ନ ହିକକା ଜିତି ବିଧାନସଭାକୁ ଯାଇଥିଲେ। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଅନନ୍ତରାମ ମାଝୀ ବିଜେଡିର କମଳ ଲୋଚନ ସାଉନ୍ତାଙ୍କୁ ପରାସ୍ତ କରିଥିଲେ। ୨୦୦୦ ମସିହା ନିର୍ବାଚନରେ ବିଜେଡିର ବିଭୀଷଣ ମାଝୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୫ରେ କଂଗ୍ରେସର ଅନନ୍ତରାମ ମାଝୀ, ୧୯୯୦ରେ ଜନତା ଦଳର ଅଖିଳ ସାଉନ୍ତା ଓ ୧୯୮୫ରେ କଂଗ୍ରେସର ଅନନ୍ତରାମ ମାଝୀ ଲକ୍ଷ୍ମୀପୁର ଆସନକୁ ଜିତିଥିଲେ।

ଲକ୍ଷ୍ମୀପୁର ଆସନରେ ୧୯୮୫ ମସିହା ପରଠାରୁ କ୍ଷମତା ପରିବର୍ତ୍ତନର ଏକ ଧାରା ଚାଲିଛି। ଅର୍ଥାତ ପ୍ରତି ୫ ବର୍ଷରେ ନେତା ବଦଳାଇଛନ୍ତି ଭୋଟର। କେଉଁ ଦଳ ଲଗାତାର ଦୁଇଥର ଜିତି ପାରି ନାହିଁ। ୨୦୦୦ ମସିହା ପରଠାରୁ ହୋଇଥିବା ୪ଟି ନିର୍ବାଚନରେ ଦୁଇଥର ବିଜେଡି ଓ ଦୁଇଥର କଂଗ୍ରେସ ଜିତିଛି। ତେଣୁ ଏଥର ମଧ୍ୟ ପରିବର୍ତ୍ତନ ଆଶାରେ ରହିଛି ବିଜେଡି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ସମସ୍ତ ୭ଟି ଯାକ ଜିଲ୍ଲା ପରିଷଦ ଜୋନକୁ ଜିତି ନିଜ ସ୍ଥିତି ସୁଦୃଢ କରିଛି। ସାଂସଦ ଝିନ୍ନ ହିକକା ପୁଣି ଥରେ ଏଠାରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ ମଧ୍ୟ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇନି। ବିଜେଡି ପକ୍ଷରୁ ପାରଦା କୁଲେସିକା ଓ ପୋଡାଗଡ ସରପଞ୍ଚ ଭଗବାନ ମୁଦୁଲି ମଧ୍ୟ ଦଳୀୟ ଟିକେଟ ଆଶାରେ ରହିଛନ୍ତି।

ଇତିହାସ ଓ ଗଣିତ ଆଧାରରେ ବିଜେଡି ଉତ୍ସାହିତ ରହିଛି। ହେଲେ କଂଗ୍ରେସ ବାଟ ଛାଡିବା ମୁଡରେ ନାହିଁ। ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲାବେଳେ ସେ ଇତିହାସ ବଦଳାଇବା ଲକ୍ଷ୍ୟରେ ଅଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜେଡିକୁ ଚେକମେଟ ଦେବାକୁ କୈଳାସ ଯୋଜନା କରୁଥିବା ବେଳେ ଏକାଧିକ ଟିକେଟ ଆଶାୟୀ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି । ଦଳର ପୁରୁଣା ନେତା ରାଜେନ୍ଦ୍ର ହୁଇକା ଓ ମହିଳା ନେତ୍ରୀ ନିରୁପମା ୱାଡେକା କଂଗ୍ରେସ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏପଟେ କୈଳାସଙ୍କୁ ଜିଲ୍ଲାର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି ସମର୍ଥନ କରିବା ପରି ଲାଗୁନି। ତେଣୁ ଦଳର ଆଭ୍ୟନ୍ତରୀଣ ବିବାଦ ତାଙ୍କୁ ଅଡୁଆ କରିବାର ଆଶଙ୍କା ରହିଛି।

ବିଜେପିରେ କିଛି ବିଜେଡି ନେତା ମିଶିବା ପରେ ଦଳର ଶକ୍ତିବୃଦ୍ଧି ହୋଇଛି। ସେଥିପାଇଁ ଏବେ ଟିକେଟ ଆଶାରେ ଅଧା ଡଜନ ନେତା ଅଛନ୍ତି। ବିଜେଡିରୁ ଆସିଥିବା କୁମୁଦ ସାଉଁତା, ବିପିନ ମାଣ୍ଡିଙ୍ଗା, ଉଦୟ ହିକକା, ଶିବ ମୁଦୁଲିଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି।ଇତିହାସ ବଦଳାଇବା ଲକ୍ଷ୍ୟରେ ଥିବା ବିଜେପି ପାଇଁ କିନ୍ତୁ ଆଶାୟୀଙ୍କ ଭିତରେ ଥିବା ବିବାଦ ବୁମେରାଂ ହେବାକୁ ଯାଉଛି । ସଂଗଠନ ସଜାଡିବା ପରିବର୍ତ୍ତେ ନେତାମାନେ ପରସ୍ପର ବିରୋଧରେ ଲାଗି ପଡିଛନ୍ତି।ଏସବୁ ଭିତରେ କଂଗ୍ରେସରୁ ବିଦା ହୋଇଥିବା କୋରାପୁଟ ବିଧାୟକ କୃଷ୍ଣ ସଗରିଆ ଏହା ମଧ୍ୟରେ ବିଏସପି କ୍ୟାମ୍ପରେ ଏଣ୍ଟ୍ରି କରିଛନ୍ତି । ଏପରିକି କୃଷ୍ଣ ମଧ୍ୟ ଲକ୍ଷ୍ମୀପୁର ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି । କୃଷ୍ଣଙ୍କ ମିଶିବା ସହ ବଦଳିଛି ରାଜନୈତିକ ସମୀକରଣ । କେଉଁ ଦଳ ୨୦୧୯ ମହାସମରରେ ବିଜୟ ବାନା ଉଡାଇବା ତାହା ଏବେଠୁ କହିବା ଏକପ୍ରକାର ମୁସ୍କିଲ ହୋଇପଡିଛି । ଚଳିତ ବର୍ଷ ପ୍ରତି ଦଳକୁ ଜିତିବା ପାଇଁ ସଂଘର୍ଷ କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି ।