କନକ ବ୍ୟୁରୋ : ଆସନ୍ତା ମାସରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର ଦଳୀୟ ଟିକେଟ ନପାଇବା ହେତୁ ସନ୍ଧ୍ୟା ସୁଦ୍ଧା ଦଳରୁ ଇସ୍ତଫା ଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ୬୫ ବର୍ଷିୟ ଳନେତା କହିଛନ୍ତି କି ସେ ଆଉ ବିଜେପିରେ ରହିବାକୁ ଚାହୁଁ ନାହାଁନ୍ତି । କହିରଖୁ କି ବିଜେପି ପକ୍ଷରୁ ଆଗାମୀ ଗୋଆ ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ମୀକାନ୍ତ ପାର୍ସେକରଙ୍କୁ ଇସ୍ତାହାର କମିଟିର ମୁଖ୍ୟ ଓ ଦଳର ମୂଳ କମିଟିର ସଦସ୍ୟ ଭାବେ ନିଯୁକ୍ତ କରିଥିଲା ।

୨୦୦୨ ରୁ ୨୦୧୭ ମଧ୍ୟରେ ପାର୍ସେକର ମାଣ୍ଡ୍ରେମ ବିଧାନସଭାରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏହି ନିର୍ବାଚନୀ କ୍ଷେତ୍ରରୁ ବିଜେପି ଏବେ ବର୍ତ୍ତମାନର ବିଧାୟକ ଦୟାନନ୍ଦ ସୋଫ୍ଟେଙ୍କୁ ମନୋନୀତ କରିଛି । ଦୟାନନ୍ଦ ସୋଫ୍ଟେ ୨୦୧୭ ମସିହାରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ପାର୍ସେକରଙ୍କୁ ପରାସ୍ତ କରିଥିଲେ । ହେଲେ ୨୦୧୯ ରେ ଆଉ ୯ ଜଣ ବିଧାୟକଙ୍କ ସହ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଗଣମାଧ୍ୟମକୁ ଦେଇଥିବା ସୂଚନାରେ ପାର୍ସେକର କହିଛନ୍ତି କି ସେ ଏପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେବା ନେଇ ନିଷ୍ପତ୍ତି କରିଛନ୍ତି । ହେଲେ ଆଗକୁ କଣ କରିବେ ସେ ନେଇ ପାର୍ସେକର କିଛି ସ୍ପଷ୍ଟ କରି ନାହାଁନ୍ତି । ସେ ସୋଫ୍ଟେଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ବର୍ତ୍ତମାନ ବିଜେପି ବିଧାୟକ ସୋଫ୍ଟେ ବିଜେପିର ମୂଳ କର୍ମୀମାନଙ୍କୁ ଅବହେଳା କରୁଛନ୍ତି । ଏନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା କଥା ସେ କହିଛନ୍ତି ।

ସୂଚନା ଥାଉକି ପାର୍ସେକର ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀଭାବେ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯିବା ପରେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା ବିଜେପି ।

କହିରଖୁ କି ଫେବୃଆରୀ ୧୪ ତାରିଖରେ ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୩୪ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।