ସଜନାଛୁଇଁ ଯୋଗାଇଲା ରୋଜଗାର । ଅଣପାରମ୍ପରିକ ପଦ୍ଧତିରେ ଚାଷ କରି ସଫଳ ରାୟଗଡାର ଲକ୍ଷ୍ମୀ ନାରାୟଣ ପାଢି ।

207

କନକ ବ୍ୟୁରୋ: ଚାଷ କାମ ଯାହାର, କେତେ ସୁଖ ତାହାର ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଗୁଳୁମୁଣ୍ଡା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ପାଢି । ଅଣପାରମ୍ପରିକ ପଦ୍ଧତିରେ ସଜନା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇ ପାରିଛନ୍ତି ।

ରାୟଗଡା ଜିଲା ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା । ଜୀବନ ଜୀବିକା ପାଇଁ ଏଠାକାର ଆଦିବାସୀ ଧାନ , କପା ଓ ପନିପରିବା ଇତ୍ୟାଦି ଚାଷ କରିଥାନ୍ତି । ତେବେ ଗୁଳୁମୁଣ୍ଡା ଗ୍ରାମର ଲକ୍ଷ୍ମୀ ନାରାୟଣ ପାଢି, ସଜନା ଛୁଇଁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ବାଟ ଦେଖାଇଛନ୍ତି । ପୂର୍ବରୁ ସଜନା ଛୁଇଁ ପାଇଁ ସ୍ଥାନୀୟ ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ । ଆନ୍ଧ୍ରର ଜଳବାୟୁ ସହ ଏଠାକାର ଜଳବାୟୁ ପ୍ରାୟତଃ ସମାନ ରହୁଥିବାରୁ ଚାଷୀ ଜଣକ ନିଜସ୍ୱ ଉଦ୍ୟମରେ ନିଜର ଦେଢ ଏକର ଜମିରେ ସଜନା ଚାଷ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଦିନ ୭୦/୮୦ କିଲୋ ସଜନା ଛୁଇଁ ଉତ୍ପାଦିତ ହୋଇଥାଏ ଚାଷୀଙ୍କ କ୍ଷେତରୁ । ବଜାର ପାଇଁ ଚାଷୀ ଜଣକ ନିକଟସ୍ଥ ବଜାର ଉପରେ ନିର୍ଭର କରୁଥିବା ବେଳେ ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନେ ମଧ୍ୟ ଏଠାରୁ ସଜନା ନେଇ ବିକ୍ରି କରୁଛନ୍ତି ।

ପୂର୍ବରୁ ସ୍ଥାନୀୟ ଅଂଚଳର ବ୍ୟବସାୟୀମାନେ ସଜନା ବାହାର ରାଜ୍ୟରୁ ଆଣି ବ୍ୟବସାୟ କରୁଥିବା ବେଳେ ବର୍ତମାନ ଗୁଳୁମୁଣ୍ଡା ଅଂଚଳରେ ଉତ୍ପାଦିତ ହେଉଥିବା ଛୁଇଁ ଗ୍ରାହକଙ୍କ ପସନ୍ଦ ଓ ସ୍ୱାଦିଷ୍ଟ ରହୁଥିବାରୁ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଅଂଚଳର ବ୍ୟବସାୟୀ । କେବଳ ପାରମ୍ପରିକ ଚାଷ ନ କରି ଜଳବାୟୁ ଅନୁଯାୟୀ ଚାଷ କରିବା ପାଇଁ ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ ଏକ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ମୀ ନାରାୟଣ ପାଢ଼ୀ ।