କନକ ବ୍ୟୁରୋ: ଟିକେ କଥା ଆଉ ସେଇ ଟିକିଏ କଥାରୁ ପ୍ରେମ । ସେ ପ୍ରେମ ଏତେ ଗଭୀର ହେଲା ଯେ ସବୁ ଜାଣିଶୁଣି ଦିବ୍ୟାଙ୍କ ପୁଅକୁ ଜନ୍ମ ଜନ୍ମର ସାଥୀ କରିବାର ଶପଥ କଲେ ପ୍ରେମିକା । ଆମେ କହୁଛୁ ଭଞ୍ଜନଗର ଦୋମୁହାଣି ଗାଁର ଦୃଷ୍ଟିବାଧିତ ମିଟୁ ଗୌଡ ଓ ରାଇଗୋଛା ଗାଁର ଲକ୍ଷ୍ମୀ ଗୌଡଙ୍କ କଥା ।

Advertisment

ଆଜିକାଲି ସମ୍ପର୍କକୁ ଧନ , ଦୌଲତ ଓ ସୌନ୍ଦର୍ଯ୍ୟରେ ତଉଲା ଯାଉଥିବାବେଳେ ମିଟୁ ଓ ଲକ୍ଷ୍ମୀଙ୍କ ପାଇଁ କିନ୍ତୁ ପ୍ରେମ ଏସବୁରୁ ଉଦ୍ଧ୍ୱର୍ରେ ଅଳ୍ପ ପାଠୁଆ ହେଲେ କ’ଣ ହେଲା ଏମାନଙ୍କ ବୁଝିବା ଶକ୍ତି କିନ୍ତୁ କୌଣସି ଜ୍ଞାନୀ ଗୁଣିଠାରୁ କିଛି କମ୍ ନୁହେଁ । ଏମାନଙ୍କ ପାଇଁ ପ୍ରେମ କୌଣସି ଦେଖାଣିଆ ସୁଖଠାରୁ ଉଦ୍ଧ୍ୱର୍ରେ । ପ୍ରେମ ଏ ଦୁହିଁଙ୍କ ପାଇଁ କେବଳ ଆଉ କେବଳ ହୃଦୟ ସର୍ବସ୍ୱ ଯେଉଁଠି ଏ ଧନ ସମ୍ପତ୍ତିର ମୂଲ୍ୟ ଖୁବ୍ କମ୍ ।

ମିଟୁ ପିଲାଟି ବେଳୁ ଦୃଷ୍ଟି ଶକ୍ତି ହରାଇଥିବାରୁ ଭାରି ଚିନ୍ତାରେ ରହୁଥିଲେ ବାପା ମା’ ଓ ପରିବାର ଲୋକେ । ଅଳ୍ପ କିଛି ପାଠ ପଢିଥିବା ପୁଅର ଭବିଷ୍ୟତକୁ ନେଇ ସମସ୍ତେ ତାଙ୍କୁ ଦୟା ଦୃଷ୍ଟିରେ ଦେଖୁଥିଲେ । ହେଲେ ଦିନ ଆସିଲା ଖୋଦ୍ ମିଟୁଙ୍କ ସାହାସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସମସ୍ତେ । ନିଜେ ଏକ ବ୍ୟବସାୟ କରି ଘର ଚଳାଇବାକୁ କହିଥିଲେ ମିଟୁ । ଖାଲି ଏତିକି ନୁହେଁ ସେ ନିଜ ଜୀବନ ସାଥୀକୁ ବାଛିସାରିଥିବା ମଧ୍ୟ ଘର ଲୋକଙ୍କ ଆଗରେ କହିଥିଲେ । ଏକଥା ଶୁଣି ଘର ଲୋକ ଚମକି ପଡିଥିଲେ ବି କଥାଟା ଏକଦମ୍ ସତ ଥିଲା । ପାଖ ଗାଁର ଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ ମିଟୁଙ୍କ ଘର ଲୋକ । ସେଠାରେ ଏବାବଦରେ ପଚାରିବାରୁ ମନ କଥା କହଇଥିଲେ ଲକ୍ଷ୍ମୀ । ମିଟୁ ଯେ ଦୃଷ୍ଟି ବାଧିତ ଜାଣି ମଧ୍ୟ ତାଙ୍କୁ ନିଜ ମନର ମଣିଷ ଭାବେ ଭାବେ ଗ୍ରହଣ କରିସାରିଥିବା ଲକ୍ଷ୍ମୀ ମୁହଁରୁ ଶୁଣିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ ।

ଦୁଇ ପରିବାରର ସହମତି କ୍ରମେ ଲକ୍ଷ୍ମୀ ଦୃଷ୍ଟିବାଧିତ ମିଟୁଙ୍କୁ ବିବାହ କରିଛନ୍ତି । ଏ ଜନ୍ମରେ ନୁହେଁ ବରଂ ଜନ୍ମ ଜନ୍ମ ତାଙ୍କ ଜୀବନ ସାଥୀ ହୋଇ ରହିବାକୁ ସଙ୍କଳ୍ପ କରିଛନ୍ତି । ଲକ୍ଷ୍ମୀଙ୍କ ସାନ୍ନିଧ୍ୟରେ ମିଟୁଙ୍କ ଜୀବନ ନୂଆ ଆଶା ପାଇଛି । ଦୁହେଁ ଦୁହିଁଙ୍କୁ ପାଇ ଯେତିକି ଖୁସି ତାଙ୍କ ପରିବାର ଲୋକେ ତା’ଠାରୁ ଖୁସି ।

ଆଜିକାଲି ସମସ୍ତେ ଧନ, ସୁନ୍ଧରତାକୁ ଦେଖି ନିଜ ଜୀବନ ସାଥୀ ବାଛୁଥିବାବେଳେ ଲକ୍ଷ୍ମୀ କିନ୍ତୁ ଦୃଷ୍ଟିବାଧିତ ଜାଣି ବି ମିଟୁଙ୍କ ହାତ ଧରିବା ତାଙ୍କୁ ସମସ୍ତଙ୍କ ଆଖିରେ ବଡ କରିଦେଇଛି । ଦୁହେଁ ସବୁବେଳେ ସୁଖ ଶାନ୍ତିରେ ରୁହନ୍ତୁ ଏତିକି ହିଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ।