କନକ ବ୍ୟୁରୋ: ନରମିଲେ ହାଇକୋର୍ଟ ଆଇନଜୀବୀ । ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ । ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି । କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଥିଲେ ।
ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ବିସିଆଇର ନିର୍ଦେଶ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସିଧା ଚିଠିରେ କହିଥିଲେ ।
କାର୍ଯ୍ୟରେ ଯୋଗ ନଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ । ସୁପ୍ରିମକୋର୍ଟ ବି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ ।