କନକ ବ୍ୟୁରୋ: ଇଏ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ବାସିନ୍ଦା ଯଶସ୍ୱିନୀ ଦାସ । ସେ କିଛି ବର୍ଷ ପୂର୍ବେ ଏକ ଘରୋଇ ବୀମା କମ୍ପାନୀରେ ଏକ ପଲିସି କରିଥିଲେ । କିଛି ବର୍ଷ ପରେ ସେ ଏହି ପଲିସି ବାବଦରେ ସମ୍ପୁର୍ଣ ଭୁଲି ଯାଇଥିଲେ । ଗତ ମାସରେ ହଠାତ ତାଙ୍କ ମୋବାଇଲ ନମ୍ବର କୁ ଏକ କଲ୍ ଆସିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ମାକ୍ସ ଲାଇଫ ଇନସୁରାନ୍ସ କମ୍ପାନିର ଜଣେ ସିନିଅର ଅଧିକାରୀର ପରିଚୟ ଦେଇଥିଲେ । ନିଜ ପରିଚୟ ଦେବା ପରେ ସେହି ପଲିସିି ସମ୍ପର୍କରେ ମହିଳାଙ୍କ ସହ ଆଲୋଚନା କରିବା ସହ ପଲିସିର ସମସ୍ତ ତଥ୍ୟ ଉକ୍ତ ମହିଳାଙ୍କ ସହ ସେଆର କରି ତାଙ୍କ ବିଶ୍ୱାସ ଜନ୍ମାଇଥିଲେ । ପରବର୍ତି ସମୟରେ ଉକ୍ତ ପଲିସିରେ ୭୫ ପ୍ରତିଶତର ବୋନୋସ୍ ଆସିଥିବା କଥା କହିବା ସହ ଟଙ୍କା ଉଠାଇନେବାକୁ କହିଥିଲେ । ଅଧିକା ଟଙ୍କା ପାଇବା ଲୋଭରେ ଯଶସ୍ୱିନୀ ଏଥିରେ ରାଜି ହୋଇଯାଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ଠକଙ୍କ ଅସଲି ଖେଳ । ଟଙ୍କା ପାଇବାକୁ ହେଲେ କେତେବେଳେ ଏନ.ଓ.ସି ନାରେ ତ କେତେବେଳେ ଇ- ଇନ୍ସୁରାନ୍ସ ନା ରେ ତ ପୁଣି ଆଉ କେତେବେଳେ କ୍ଲିଅରାନ୍ସ ନା ରେ ଯଶସ୍ୱିନୀ ଙ୍କ ଠାରୁ ପର୍ଯ୍ୟାୟ କ୍ରମେ ପାଖାପାଖି ୧୮ ଲକ୍ଷ ଟଙ୍କା ଲୁଟିନେଲେ , ହେଲେ ଟଙ୍କାଟିଏ ଫେରେଇ ନଥିଲେ । ମାମଲା ସାଇବର ଥାନାରେ ପଂହଚିବା ପରେ ଦିଲ୍ଲୀରୁ ଦୁଇ ଠକଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ ।

Advertisment

ସୂଚନା ଅନୁସାରେ, ବିଭିନ୍ନ ଇନ୍ସୁରାନ୍ସ କମ୍ପାନିର ପୂର୍ବତନ କର୍ମଚାରୀଙ୍କଠାରୁ ତଥ୍ୟ ହାସଲ କରୁଥିଲେ ଠକ, ତଥ୍ୟ ପାଇବା ପରେ ଫୋନ କରି ଜମାକାରୀଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ସୁଯୋଗ ଦେଖି କଳାକନା ବୁଲାଉ ଥିଲେ ଠକ । ଦିଲ୍ଲୀରେ ରହି ନେଟୱର୍କ ଅପରେଟ କରୁଥିଲେ ଲୁଟେରା ଗ୍ୟାଙ୍ଗ । ଲୁଟ ଟଙ୍କାରେ ଅଏସ କରିବା ସହ ବେଟିଂରେ ବି ଲଗିଥିଲା ଟଙ୍କା ।

ଅନେକ ଲୋକଙ୍କୁ ଏହିଭଳି କଳାକନା ବୁଲେଇବା ପରେ ଭୁବନେଶ୍ୱର ସାଇବର ଥାନା ପୁଲିସ କବଜାରେ ଏବେ ଏହି ଦୁଇ ଲୁଟେରା । ତାଙ୍କ ନିକଟରୁ ଦୁଇ ଲକ୍ଷ ୩୮ ହଜାର ଟଙ୍କା,ଗୋଟିଏ ଲାପଟପ, ୬ଟି ମୋବାଇଲ ଫୋନ,ଅନେକ ଗୁଡିଏ ସିମ୍ ଜବତ କରାଯାଇଛି । ଏଥିସହ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଥିବା ୪ ଲକ୍ଷ ଟଙ୍କାକୁ ଫ୍ରିଜ କରାଯାଇଛି । ଏହିଭଳି ଠକାମିର ଶିକାର ହୋଇଥିଲେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।