ପାକିସ୍ତାନ କ୍ରିକେଟ ଟିମରେ ନାଁରେ ମାମଲା ରୁଜୁ । ଜାଣନ୍ତୁ କେଉଁଠି ଓ କାହିଁକି ଖେଳାଳୀଙ୍କ ନାଁରେ ରୁଜୁ ହେଲା ମାମଲା?

322

କନକ ବ୍ୟୁରୋ : ପାକିସ୍ତାନ ଟିମ୍ ଏବେ ଯେଉଁଠି ବି କ୍ରିକେଟ ଖେଳିବାକୁ ଯାଉଛି ସେଠାକୁ ଦେଶର ଜାତୀୟ ପତାକା ନେଇ ଯାଉଥିବାର ଦେଖିବାକୁ ମିଳୁଛି । ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ପାକିସ୍ତାନୀ ଖେଳାଳୀ ମାନେ ଦେଶର ଜାତୀୟ ପତାକା ପଡିଆ ଭିତରକୁ ନେଉଥିବାର ଦେଖିବାକୁ ମିଳିଛି । ଖାସକରି ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳାଳୀଙ୍କ ଏଭଳି ଅନ୍ଦାଜକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା । ଟି-୨୦ ବିଶ୍ୱକପ ପରେ ଏବେ ପାକିସ୍ତାନ ଦଳ ବାଂଲାଦେଶ ଗସ୍ତରେ ଯାଇଥିବା ବେଳେ ମଧ୍ୟ ଅଭ୍ୟାସ ସମୟରେ ପଡିଆକୁ ଜାତୀୟ ପତାକା ନେଇ ଯାଇଥିବାର ଦେଖିବାକୁ ମିଳିଛି । ଖାସକରି ମୀରପୁରରେ ଦଳ ଅଭ୍ୟାସ କରୁଥିବା ବେଳେ ପଡିଆ ମଝିରେ ପାକିସ୍ତାନର ଜାତୀୟ ପତାକା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ତେବେ ଏହି ବିବାଦ ଉପୁଜିବା ଫଳରେ ପାକିସ୍ତାନ ଟିମ୍ ଅଭ୍ୟାସ ସମୟରେ ପଡିଆ ମଧ୍ୟକୁ ଜାତୀୟ ପତାକା ନେବାକୁ ଅନୁମତି ମାଗିଛି । କିନ୍ତୁ ଏବେ ଏହି ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ପଡିଆ ମଝିରେ ପାକିସ୍ତାନର ଜାତୀୟ ପତାକା ଉଡିବାକୁ ନେଇ ପୂରା ଟିମ୍ ବିରୋଧରେ ଢାକାରେ ମାମଲା ରୁଜୁ ହୋଇଛି । ଅଧିନାୟକ ବାବର ଆଜମଙ୍କ ସମେତ ମୋଟ ୨୧ ଜଣ ଖେଳାଳୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଯାହା ଏହି ବିବାଦକୁ ଆହୁରି ରୋଚକ କରିଛି ।

ଗୋଟିଏ ପଟେ ପାକିସ୍ତାନ କ୍ରିକେଟ ଖେଳାଳୀ ଅଭ୍ୟାସ ସମୟରେ ପଡିଆରେ ଜାତୀୟ ପତାକା ଉଡାଇଥିବା ବେଳେ ଅନ୍ୟପଟେ ବାଂଲାଦେଶବାସୀ ଏହାକୁ ଏକ ରାଜନୈତିକ ଦିଗ ଆଡକୁ ଇଙ୍ଗିତ କରୁଥିବା କହିଛନ୍ତି । ସାଧାରଣତଃ ଦ୍ୱିପାକ୍ଷିକ କିମ୍ବା କୌଣସି ଅର୍ନ୍ତଜାତୀୟ ସିରିଜ ସମୟରେ ଦେଶର ଜାତୀୟ ପତାକା ଷ୍ଟାଡିୟମରେ ଦେଖିବାକୁ ମିଳିଥାଏ । କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ ୨୦୧୪ରେ ଏହି ଅଧିନିୟମ ଉପରେ କଟକଣା ଲଗାଇଥିଲା । ବିଦେଶୀ ଦେଶ ନିଜର ରାଷ୍ଟ୍ରୀୟ ଧ୍ୱଜ ଆଣିବା ଉପରେ ରୋକ ଲଗାଇଥିଲା ବିସିବି । କିନ୍ତୁ ଏଭଳି ନିଷ୍ପତ୍ତିକୁ ନେଇ ଆଲୋଚନା ହେବା ପରେ କଟକଣା ହଟାଇଥିଲା ବିସିବି ।

ଏହି ନୂଆ ବିବାଦ ସାମ୍ନାକୁ ଆସିବା ପରେ ପାକିସ୍ତାନର ମିଡିଆ ମ୍ୟାନେଜର କହିଛନ୍ତି, ଏହା ଆମ ପାଇଁ କୌଣସି ନୂଆ କଥା ନୁହେଁ । ସକଲେନ ମୁସ୍ତାକ ଟିମରେ ସାମିଲ ହେବା ପରେ ଦଳ ପକ୍ଷରୁ ଏଭଳି କରାଯାଉଛି । ଏଭଳି କରିବା ଦ୍ୱାରା ଖେଳାଳୀଙ୍କୁ ପ୍ରେରଣା ମିଳୁଥିବା କୁହାଯାଉଛି । ଯେଉଁଥିପାଇଁ ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳାଳୀଙ୍କୁ ଅଭ୍ୟାସ ମ୍ୟାଚରେ ଜାତୀୟ ପତାକା ନେଉଥିବା ଦେଖିବାକୁ ମିଳୁଛି । ବାଂଲାଦେଶ ଗସ୍ତରେ ଯାଇଥିବା ପାକିସ୍ତାନ ଟିମ୍ ଟି-୨୦ ସିରିଜ ଜିତିଥିବା ବେଳେ ଏବେ ଟେଷ୍ଟ ସିରିଜ ଉପରେ ନଜର ରହିଛି ।