କନକ ବ୍ୟୁରୋ : ଦେଶର ସମ୍ବିଧାନ ଆଇନ ସମସ୍ତଙ୍କ ପାଇଁ ସମାନ କହୁଥିବା ବେଳେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଛନ୍ତି ଏହି ଆଇନ ଗରିବଙ୍କ ସହ ଭେଦଭାବ କରେ । ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଜଷ୍ଟିସ ମୁରଲୀଧର ଭର୍ଚୁଆଲ ମୋଡରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏପରି କହିଛନ୍ତି । ଜଷ୍ଟିସ ମୁରଲୀଧରଙ୍କ ଏହି ବୟାନ ପରେ ଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସେ କହିଛନ୍ତି, ନ୍ୟାୟ ପାଇବା ପାଇଁ ଅନେକ ପ୍ରତିବନ୍ଧକ ରହିଛି । ଯାହାର ସମ୍ମୁଖୀନ ଜଣେ ଅବହେଳିତ ବ୍ୟକ୍ତି ହୁଅନ୍ତି ।

ଏପରିକି ଜଣେ ଶିକ୍ଷିତ ବ୍ୟକ୍ତି ମଧ୍ୟ ଆଇନ ପ୍ରକ୍ରିୟା ବାବଦରେ ରହସ୍ୟ ଘେରରେ ରହିଛି । ଗରିବଙ୍କ ପ୍ରତି ଭେଦଭାବ କରିବା ପାଇଁ ଆଇନ ତିଆରି ହୋଇଛି । ଗରିବଙ୍କ କ୍ଷେତ୍ରରେ ନ୍ୟାୟ ବ୍ୟବସ୍ଥା ଭିନ୍ନ ଢଙ୍ଗରେ କାମ କରୁଛି । ଭିକ୍ଷୁକଙ୍କ ପାଇଁ ଉଦ୍ଦିଷ୍ଟ କୋର୍ଟ, ଜୁଭେନାଇଲ ଜଷ୍ଟିସ ବୋର୍ଡ ଓ ମହିଳା ମାଜିଷ୍ଟ୍ରେଟ କୋର୍ଟ ଗରିବଙ୍କ ପାଇଁ ଆଇନ ବ୍ୟବସ୍ଥା ସହ ବିବାଦର ପ୍ରଥମ ବିନ୍ଦୁ । ସେହିପରି ବିଚାରପତି ଦେଶରେ ଚାଲିଥିବା କେସର ପରିସଂଖ୍ୟାନ ଉପରେ କହିଛନ୍ତି, ଏବେ ୩.୭୨ ଲକ୍ଷ ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତ ବିଚାରାଧୀନ କଏଦୀ ରହିଛନ୍ତି ।

ଯେଉଁମାନେ କି ଅଧିକାଂଶ ଏସସି, ଓବିସି ବର୍ଗର । ସେହିପରି ୧.୧୩ ଲକ୍ଷ ଦୋଷୀ ରହିଛନ୍ତି । ଏଥିମଧ୍ୟରୁ ୨୧ ପ୍ରତିଶତ ଏସସି ଏବଂ ୩୭.୧ ପ୍ରତିଶତ ଓବିସି ବର୍ଗର । ୩୪. ୩ ପ୍ରତିଶତ ବିଚାରାଧୀନ କଏଦୀ ଓବିସି ବର୍ଗର । ଆଇନ ବ୍ୟବସ୍ଥାର ମାନ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅଧିକାଂଶ ଗରିବ ଲୋକେ ଆଇନର ସହାୟତା ପାଇବା ପାଇଁ ବିକଳ୍ପ ନାହିଁ । ଅର୍ଥ ଅଭାବରୁ ଗରିବ ମାନେ ଭଲ ଓକିଲ ନିଯୁକ୍ତ କରିପାରୁନାହାନ୍ତି । ଆଉ ଯେଉଁ ମାନଙ୍କୁ ନିଯୁକ୍ତ କରୁଛନ୍ତି ସେମାନଙ୍କ ପାଖରେ ମହକିଲଙ୍କୁ ମୁକୁଳାଇ ଆଣିବା ପାଇଁ ସେପରି ଦକ୍ଷତା ନାହିଁ ।