କନକ ବ୍ୟୁରୋ : ଗତ କିଛିଦିନ ହେବ ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସଲମାନଙ୍କୁ ହତ୍ୟା ଧମକ ମିଳିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏହି ଘଟଣାକୁ ନେଇ ସେତେବେଳେ କ୍ରାଇମବ୍ରାଞ୍ଚ ବେଶ ତତ୍ପର ହୋଇ ଉଠିଥିଲା । ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀରେ ପହଞ୍ଚି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ଗ୍ୟାଙ୍ଗକୁ ପଚରାଉଚରା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସଲମାନଙ୍କୁ ହତ୍ୟା ଧମକ ଚିଠି ପଛରେ ଲରେନ୍ସ ଗ୍ୟାଙ୍ଗର ହାତ ଥିବା ଜଣାପଡିଛି । ଆଉ ଲରେନ୍ସ ଗ୍ୟାଙ୍ଗର ବିକ୍ରମ ବରାଡଙ୍କ କହିବା ଅନୁଯାୟୀ ହିଁ ଏଭଳି ଧମକ ଦିଆଯାଇଥିବା ସୂଚନା ମିଳିଛି । ଗ୍ୟାଙ୍ଗଷ୍ଟର ଲରେନ୍ସର ସହଯୋଗୀ ହେଉଛି ବିକ୍ରମ ବରାଡ । ଯିଏ ଏବେ କାନାଡାରେ ରହୁଛି । ବିକ୍ରମଙ୍କ ଇଙ୍ଗିତରେ ହିଁ ଏସବୁ ହୋଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ।
ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ଦେବାକୁ ମୁମ୍ବାଇକୁ ୩ ଜଣ ବ୍ୟକ୍ତି ଆସିଥିଲେ । ଆଉ ମୁମ୍ବାଇରେ ପହଞ୍ଚିବା ପରେ ସୌରଭ ମହାକାଳଙ୍କୁ ଭେଟିଥିଲେ । ମହାକାଳଙ୍କୁ ପଚରାଉଚରା ପରେ ହିଁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ସଲମାନଙ୍କୁ ହତ୍ୟା ଧମକ ଦେବା ପଛର ସବୁଠୁ ବଡ କାରଣ ଥିଲା ଗ୍ୟାଙ୍ଗର ପବ୍ଲିସିଟି । ଲରେନ୍ସ ଜେଲରେ ଥିବା ବେଳେ ବିକ୍ରମ ଦେଶ ବାହାରେ ରହି ମଧ୍ୟ ଗ୍ୟାଙ୍ଗର ପବ୍ଲିସିଟି ବଢାଇବା ପାଇଁ ଏଭଳି ଉପାୟ ଆପଣାଉଥିବା କୁହାଯାଉଛି । ବିକ୍ରମ ମୂଳତଃ ରାଜସ୍ଥାନର ବାସିନ୍ଦା । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆନନ୍ଦପାଲଙ୍କ ଘନିଷ୍ଠ ଭାବେ ଜଣାଶୁଣା ଥିଲା ବିକ୍ରମ । କିନ୍ତୁ ଆନନ୍ଦପାଲଙ୍କୁ ଏନକାଉଣ୍ଟର ପରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗରେ ସାମିଲ ହୋଇଥିଲା ବିକ୍ରମ ।
ଏହାପୂର୍ବରୁ ଜାତୀୟ ଗଣମାଧ୍ୟମରେ ସଲମାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିକୁ ନେଇ ଅନେକ ତୁମ୍ବିତୋଫାନ ହୋଇଥିଲା । ଯେଉଁଥିରେ ଲେଖାଥିଲା ଯେ, ସଲମାନ ଖାନ୍ ଖୁବଶୀଘ୍ର ତୁମର ଅବସ୍ଥା ସିଦ୍ଧୁ ମୁସେୱାଲାଙ୍କ ଭଳି ହେବ । ଏହାପରେ ଏହି ଘଟଣାକୁ ନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିଏ ଏହି ଚିଠି ପଠାଇଥିଲା ଓ କାହିଁକି ସଲମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ତାହାକୁ ନେଇ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ।