କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଜେଡି ସରକାର ସମୟରେ ହୋଇଥିବା ହତ୍ୟାକାଣ୍ଡ ଘଟଣା । କାରଣ ନୂଆ ସରକାର ପୁରୁଣା ଫାଇଲ ଖୋଲିବାକୁ ଯାଉଛନ୍ତି । ସମସ୍ତ ହାଇପ୍ରୋଫାଇଲ ହତ୍ୟା ମାମଲାର ଫାଇଲ ଖୋଲିବା ନେଇ ଚେତାବନୀ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସ୍କାନରରେ ଅଛନ୍ତି ବଡ଼ ବଡ଼ ବିଜେଡି ନେତା । ସେପଟେ ପୁରୁଣା ମାମଲାର ତଦନ୍ତ ସରକାରଙ୍କ ଇଛାଧୀନ ବୋଲି କହିଛି ବିଜେଡି ।

Advertisment

ବିଜେଡି ସରକାର ସମୟରେ ଚର୍ଚ୍ଚିତ ଘଟଣାକୁ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ବକ୍ତବ୍ୟ ପରେ ନେତାଙ୍କ ମନରେ ଛନକା ପଶିଛି । ଚର୍ଚ୍ଚାକୁ ଫେରିଛି ବିଜେଡି ସରକାର ସମୟର ହତ୍ୟାକାଣ୍ଡ ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ କହିଛନ୍ତି ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ । ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ । ଯେଉଁ ହତ୍ୟାକାଣ୍ଡ ଘଟଣାରେ ଆଜି ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ତାର ନିଷ୍କର୍ସ ବାହାରିବା ଯାଏଁ ପଦକ୍ଷେପ ନିଆଯିବ ।

ବିଜେଡି ସରକାର ସମୟରେ କିଛି ଏଭଳି ଘଟଣା ଘଟିଥିଲା, ଯାହା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଉ ଏହି ସବୁ ଘଟଣାରେ କିଛି ବଡ ବିଜେଡି ନେତାଙ୍କ ସଂପୃକ୍ତି ନେଇ ବିଜେପି ନେତା ଅଭିଯୋଗ ଆଣିଥିଲେ ।

ଘଟଣା ବିଜେଡି ନେତାଙ୍କ ନାଁରେ ଅଭିଯୋଗ
୧ ନବ ଦାସ ହତ୍ୟାକାଣ୍ଡ ବଡ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ
୨-ମମିତା ମେହେର ହତ୍ୟାକାଣ୍ଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
୩-ନୟାଗଡ ପରୀ ହତ୍ୟାକାଣ୍ଡ ଅରୁଣ ସାହୁ
୪. ମାହାଙ୍ଗା ଡବଲ ମର୍ଡର ପ୍ରତାପ ଜେନା
୫. ସ୍ମିତାରାଣୀ ଆତ୍ମହତ୍ୟା ପ୍ରଣବବଳବନ୍ତ ରାୟ

ସେପଟେ ବିଜେଡି କହିଛି, କେଉଁ ଘଟଣାକୁ ସରକାର ତଦନ୍ତ ପରିସରକୁ ଆଣିବେ, ତାହା ସରକାରଙ୍କ ଉପରେ ନିର୍ଭର କରୁଛି । ଏବେ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ କରିବାକୁ ଅଂଟାଭିଡିଛନ୍ତି ବିଜେପି ସରକାର । ବଡ କଥା ହେଉଛି, ଏହା କେବଳ ଘୋଷଣାରେ ରହିଯିବ ନା ସତ ସାମ୍ନାକୁ ଆସିବ ।