କନକ ବ୍ୟୁରୋ : ବଜେଟକୁ ନେଇ ବିରୋଧୀ ଦଳ ନେତାଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବେଶ ରୋଚକ ଭାବେ ଗୃହରେ ମନ୍ତବ୍ୟ ରଖିଛନ୍ତି ଆଇନମନ୍ତ୍ରୀ । ବଜେଟ ଆଲୋଚନା ବେଳେ ୨୪ ବର୍ଷର ବିଜେଡ଼ି ଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିଜ ଜବାବରେ ମନ୍ତ୍ରୀ କହିଛନ୍ତି, ଜଣେ ୨୪ ବର୍ଷର ନିକମ୍ମା ଯୁବକ ଥିଲା, ତା ବାପା ପଚାରିଲେ ତୁ କଣ କରୁଛୁ । ଯୁବକ ଜଣକ ଗୋଟେ ଦେଢ଼ ମାସର ଶିଶୁକୁ ଦେଖାଇ କହିଲା, ସେ କଣ କରୁଛି କି । ବାପା କହିଲେ ତୋ ମୁହଁକୁ ଲାଜ ନାହିଁ, ଗୋଟେ ଦେଢ଼ ମାସର ଶିଶୁ ସହ ନିଜକୁ ତୁଳନା କରୁଛୁ । ବିଜେଡ଼ିକୁ ଆଇନ ମନ୍ତ୍ରୀ କହିଲେ, ବିରୋଧୀ ଦଳରେ ବସିବାର ଅଭ୍ୟାସ କରନ୍ତୁ । ଦେଢ଼ ମାସର ସରକାରକୁ ସବୁ କଥାରେ ଆକ୍ଷେପ କରିବା ଉଚିତ ନୁହେଁ । କୁଶାସନ ଇଫେକ୍ଟ ପ୍ରଶାସନରୁ ଏବେ ଯାଏଁ ଯାଇନି । ବର୍ଷକ ଭିତରେ ବିଜେଡିକୁ ଭୁଲି ଯିବେ ଲୋକେ । ରାଜନୀତିରେ ଅହଙ୍କାରର ସ୍ଥାନ ନାହିଁ । ଯିଏ ଅହଙ୍କାର କରିଛି ସେ ଶେଷ ହୋଇଯାଇଛି । ଅତୀତରେ ବି ଅନେକ ନଜିର ରହିଛି। ଏ ହେଉଛି ସଂପୂର୍ଣ୍ଣ ରୂପେ ଏକ ଅସହିଷ୍ଣୁତାର ପ୍ରତିଫଳନ ।
ଆମେ ନିଷ୍ପତି ନେଇଛୁ, ସଂକଳ୍ପ ପତ୍ରରେ ଯାହା କହିଛୁ, ସେ ସବୁ ପୂରଣ କରିବୁ । ବିଜେଡ଼ି ୨୦୦୯, ୨୦୧୪ ଏବଂ ୨୦୧୯ ଇସ୍ତାହାରରେ ଯାହା କହିଥିଲେ ସେ ସବୁ କଥା ମନେ ଅଛି କି ନାହିଁ । ବିରୋଧୀ ଦଳ ନେତାଙ୍କ ଆଚରଣ ଅଶୋଭନୀୟ । ବଜେଟ ଭାଷଣ ଭିତରେ ବିଜେପି ଜୁମଲା କରିଛି ବୋଲି କହିବା, ଗୃହର ମର୍ଯ୍ୟାଦାକୁ ହାନୀ କରୁଛି । ଖରାପ ପରମ୍ପରା, ଖରାପ ଆଚରଣ ଓ ମାଇକ ଭଙ୍ଗା ଦେଖିବାକୁ ନୂଆ ବିଧାୟକ ମାନେ ନିର୍ବାଚିତ ହୋଇ ଆସିନାହାନ୍ତି । ବଜେଟକୁ ଜୁମଲା କହିବା, କେତେଦୂର ଯଥାର୍ଥ, ଏହା ଆପଣ ମାନେ ବିବେକକୁ ପଚାରନ୍ତୁ । ୨୪ବର୍ଷ ଧରି ଆପଣମାନେ କଣ କରୁଥିଲେ ସ୍ପଷ୍ଟ କରନ୍ତୁ । ସମ୍ରାଟ ଆକବର ଭଳି ଜଣେ ଦୟାଳୁ ବ୍ୟକ୍ତି ଥିଲେ, ଯିଏ ସବୁ ନିର୍ବାଚନ ମଣ୍ଡଳୀ ନିର୍ବାଚନ ପୂର୍ବରୁ ବୁଲୁଥିଲେ । ମୁଖ୍ୟମନ୍ତ୍ରୀ ସକ୍ଷମ ନାହାନ୍ତି ଓ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଆସିଛନ୍ତି ବୋଲି କହୁଥିଲେ । ତାଙ୍କ ମଞ୍ଚ ବାନ୍ଧୁ ଥିଲେ ବିଧାୟକ ଓ ସାଂସଦମାନେ । ସମ୍ରାଟ ଆକବର ଭଳି ଅଭିଯୋଗ ଆଣି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ । ଏଭଳି ଶାସନକୁ ଜୁମଲା କୁହାଯିବନି ତ କଣ କୁହାଯିବ । ବିଭିନ୍ନ ଜାଗାରେ ୫-ଟି ସ୍କୁଲ ନାଁରେ ରଙ୍ଗ ମାରି ବିଜେଡ଼ି ନେତାମାନେ ଟଙ୍କା ରୋଜଗାର କଲେ । ୧୪୦ ଯୋଜନାରୁ ଅନେକ ଯୋଜନାରେ ୧ ହାଜର ଟଙ୍କା ଲେଖାଏଁ ବଜେଟ କରିଥିଲେ । କାହିଁକି କରିଥିଲେ ସେମାନେ ଜାଣି ଥିଲେ । ୩୧୦୦ ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କରାଯାଇଛି ବୋଲି ସେମାନଙ୍କର ଗାତ୍ର ଦାହ ହେଉଛି । ସରକାର ହେବାର ୪୫ ଦିନ ଭିତରେ ବିଜେପି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ । ସୁଭଦ୍ରା ଯୋଜନା ଲାଗୁ କରାଯିବ । ୨୫ ଲକ୍ଷପତି ଦିଦି ହେବେ । ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା ଆରମ୍ଭ ହୋଇଛି । ଶୀତଳ ଭଣ୍ଡାର ହେବ । ସବୁ ଜମିକୁ ଜଳସେଚିତ କରାଯିବ । ଆମେ ପ୍ରଚାର ସର୍ବସ୍ବ ନୁହେଁ । ଆମେ କାମରେ ବିଶ୍ୱାସ କରୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।