କନକ ବ୍ୟୁରୋ: ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଲମ୍ବା ସମୟ ଧରି ମାଇନିଙ୍ଗ ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ୨୪ ବର୍ଷର ସରକାର କେବେ ବି ମହାପ୍ରଭୁଙ୍କ ଭୂସମ୍ପତ୍ତି ସୁରକ୍ଷା କଥା ଚିନ୍ତା କରିନାହାନ୍ତି।
୨୦୦୩ରେ ପ୍ରସ୍ତୁତ ହୋଇଥିବା ୟୁନିଫର୍ମ ପଲିସି ଅଧାରରେ ଏହି କଥା ଆଗକୁ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମହାପ୍ରଭୁଙ୍କର ରହିଛି ପ୍ରାୟ ୫୮ ହଜାର ଏକର ଭୂସମ୍ପତ୍ତି । ସେଥିରୁ ୩୭ ହଜାର ଏକରର ସମ୍ପତ୍ତିର କାଗଜପତ୍ରରେ ଅଛି , ବାକିର ଠିକଣା ନାହିଁ । ଯଥାଶୀଘ୍ର ଏନେଇ ବ୍ୟବସ୍ଥା କରାନଗଲେ ମହାପ୍ରଭୁଙ୍କ ଭୂସମ୍ପତ୍ତି ଜବରଦଖଲକାରୀଙ୍କ ହାତରେ ନଷ୍ଟ ହେବ।
ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ଭୂସମ୍ପତ୍ତି ଅନ୍ତର୍ଗତ। ଅନୈତିକ ଭାବେ ଲମ୍ବା ସମୟ ଧରି ଯେଉଁ ଲୋକ ମାନେ ଭୁସମ୍ପତ୍ତିକୁ ଜବରଦଖଲ କରି ଉପଭୋଗ କରୁଥିଲେ ,ଯାହାର ଲାଭ କିଛି ବି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗୁ ହେଉନଥିଲା।ଏହା ବନ୍ଦ ହେବାର ଅଛି। ଏହି କାମରେ ଯେଉଁମାନେ ସଂପୃକ୍ତ ଥିଲେ ସେମାନଙ୍କୁ ଚିହ୍ନଟ କରାଯିବ ଓ ଯେଉଁ ମାନେ ଲମ୍ବା ସମୟ ଧରି ମାଇନିଙ୍ଗ ଖଜଣା ଦେଉନଥିଲେ ସେମାନଙ୍କ ଉପରେ ଦଣ୍ଡ ଧାର୍ୟ୍ୟ କରାଯିବ। ଯେଉଁ ମାନେ ଏହି କଥାରେ ସହମତ ନହେଲେ ତାକୁ ନେଇ କଠୋର ବ୍ୟବସ୍ଥା କରାଯିବ।
ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ୧୯ଟି ଖଣି ଲିଜ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେଥିମଧ୍ୟରୁ ୧୭ଟି ନିର୍ମାଣ ପଥର ଖଣି ଏବଂ ୨ ଗୋଟି ମାଙ୍କଡା ପଥର ଖଣି। ଧାର୍ୟ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଉତ୍ତୋଳନ ସକାଶେ ଓଡିଶା ଲଘୁ ଖଣିଜ ଆଇନ୍-୨୦୧୬ ଅନୁସାରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସାତ ଦିନ ମଧ୍ୟରେ ରୟାଲଟି, ଆନୁସଙ୍ଗିକ ଦେୟ ଏବଂ ଅଧିକ ଉତ୍ତୋଳନ ପାଇଁ ଜୋରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା, ସେନେଇ ମଧ୍ୟ ଲିଖିତ କେଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଛି ।
ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଜାରି କରାଯାଇଥିବା ନୋଟିସର ଖିଲାପ କଲେ, ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ସମସ୍ତ ଭୂ-ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି ମୁଖ୍ୟ ପ୍ରଶାସକ ନୋଟିସରେ କଡା ଶବ୍ଦରେ ସତର୍କ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/52-1.jpg)